ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ବିକ୍ରି କଲେ ସିଙ୍ଗଡ଼ା : ବାର୍ଷିକ ଆୟ ଶୁଣି ହୋଇଯିବେ ଚକିତ

0

ଗୁଗୁଲ ପରି କମ୍ପାନୀରେ ଚାକିରି କରିବା ସମସ୍ତଙ୍କର ସ୍ୱପ୍ନ ହୋଇଥାଏ, ହେଲେ ଯଦି କେହି ଏହି କମ୍ପାନୀରେ ଚାକିରି ପାଇ ମଧ୍ୟ ଛାଡ଼ିଦିଏ ତେବେ ଆପଣ ତାଙ୍କୁ କ’ଣ କହିବେ। ଏପରି କିଛି କରିଛନ୍ତି ମୁମ୍ବଇ ସ୍ଥିତ ମହାରାଷ୍ଟ୍ରର ମୁନାଫ୍‍ କାପାଡ଼ିଆ। ସିଙ୍ଗଡ଼ା ବ୍ୟବସାୟ କରିବା ପାଇଁ ମୁନାଫ୍‍ ଗୁଗୁଲର ଚାକିରି ଛାଡ଼ି ଦେଇଛନ୍ତି।
ମୁନାଫ୍‍ କାପାଡ଼ିଆ ଏମ୍‍ବିଏ ପଢି କିଛିଦିନ ଚାକିରି କରିବା ପରେ ବିଦେଶ ଚାଲି ଯାଇଥିଲେ। ବିଦେଶରେ ଇଣ୍ଟର୍‍ଭ୍ୟୁ ଦେବା ପରେ ତାଙ୍କୁ ଗୁଗୁଲରେ ଚାକିରି ମିଳିଥିଲା। ସେଠାରେ କିଛି ବର୍ଷ ଚାକିରି କରିବା ପରେ ଇସ୍ତଫା ଦେଇ ସେ ଭାରତ ଫେରି ଆସିଥିଲେ। ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ସେ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିଲେ ଓ ନାଁ ଦେଲେ ‘ଦ ବୋହରୀ କିଚେନ୍‍’। ମୁନାଫ୍‍ଙ୍କ କହିବା ଅନୁସାରେ, ତାଙ୍କ ମାଆ ଟିଭିରେ ବହୁ ଫୁଡ଼୍‍ ଶୋ’ ଦେଖନ୍ତି ଓ ବହୁତ ଭଲ ରୋଷେଇ କରନ୍ତି। ତେଣୁ ସେ ଭାବିଲେ ତାଙ୍କ ମାଆଙ୍କ ଠାରୁ ପରାମର୍ଶ ନେଇ ଖାଦ୍ୟ ବ୍ୟବସାୟ ଆରମ୍ଭ କରିବେ।

ମୁନାଫ୍‍ ନିଜର ରେଷ୍ଟୁରାଣ୍ଟ ଖୋଲିଲେ ଯେଉଁଠି ପ୍ରଥମେ ତାଙ୍କ ମାଆ ରୋଷେଇ କରୁଥିଲେ। ଯେତେବେଳେ ସମସ୍ତେ ତାଙ୍କ ରେଷ୍ଟୁରାଣ୍ଟ ଖାଦ୍ୟର ପ୍ରଶଂସା କଲେ, ସେତେବେଳେ ସେ ତାଙ୍କର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ଲାଗିପଡ଼ିଲେ। ମୁନାଫ୍‍ ତାଙ୍କ ଫେସ୍‍ବୁକ୍‍ ପ୍ରୋଫାଇଲ୍‍ ରେ ଲେଖିଛନ୍ତି, “ମୁଁ ସେହି ବ୍ୟକ୍ତି ଯିଏ ସିଙ୍ଗଡ଼ା ବିକିବା ପାଇଁ ଗୁଗୁଲର ଚାକିରି ଛାଡ଼ି ଦେଇଛି।”

ମୁନାଫ୍‍ଙ୍କ ରେଷ୍ଟୁରାଣ୍ଟର ସିଙ୍ଗଡ଼ା ସାରା ମୁମ୍ବଇରେ ପ୍ରସିଦ୍ଧ। ତାଙ୍କର ରେଷ୍ଟୁରାଣ୍ଟ ଖୋଲିବାର ମାତ୍ର କିଛି ବର୍ଷ ହୋଇଛି ହେଲେ ତାଙ୍କ ବାର୍ଷିକ କାରବାର ୫୦ ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ମୁନାଫ୍‍ଙ୍କ ଲକ୍ଷ୍ୟ ଆସନ୍ତା କିଛି ବର୍ଷ ମଧ୍ୟରେ ତାଙ୍କ ବ୍ୟବସାୟକୁ ୫ କୋଟିରେ ପହଞ୍ଚାଇବା। ତାଙ୍କର ଏହି ସଫଳତା ଯୋଗୁଁ ଫୋର୍ବସ୍‍ ତରଫରୁ ମୁନାଫ୍‍ଙ୍କ ନାମ ଅଣ୍ଡର ୩୦ ଆଚିଭର୍ସ ତାଲିକାରେ ସ୍ଥାନ ପାଇଛି।

Leave A Reply