ଓଠକୁ ଚୁମ୍ବନ ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ: ହାଇକୋର୍ଟ

ମୁମ୍ବଇ: ଓଠକୁ ଚୁମ୍ବନ ଦେବା ଅପ୍ରାକୃତିକ ଯୌନ ସମ୍ପର୍କ ନୁହେଁ। ଏପରି କାର୍ଯ୍ୟ କରି ଅପ୍ରାକୃତି ଯୌନ ସମ୍ପର୍କ ମାମଲାରେ ଫସି ଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ ପୂର୍ବକ ବମ୍ବେ ହାଇକୋର୍ଟ ଉପରୋକ୍ତ ମତ ଦେଇଛନ୍ତି। ବିଚାରପତି ଅନୁଜା ପ୍ରଭୁଦେଶାଇ କହିଛନ୍ତି ଯେ ଓଠରେ ଚୁମ୍ବନ ଦେବା ଏବଂ ଶରୀରର କୌଣସି ଅଙ୍ଗକୁ ଛୁଇଁବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୭୭ ଅନୁଯାୟୀ ଅପ୍ରାକୃତିକ ଯୌନ ଅପରାଧ ନୁହେଁ। ତେବେ ଜଣେ ୧୪ବର୍ଷର ବାଳକର ଓଠରେ ଚୁମ୍ବନ ଦେବା ଓ ତାର ଶରୀରକୁ ଛୁଇଁବା ନେଇ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୭୭ ଓ ପସ୍କୋ ଆଇନର ଧାରା ୮ (ଯୌନ ନିର୍ଯାତନା), ଧାରା ୧୨ (ଯୌନ ଉତ୍ପୀଡନ)ରେ ମାମଲା ରୁଜୁ କରାଯାଇଥିଲା।

ଅଭିଯୁକ୍ତକୁ ଗିରଫ କରି ଜେଲ୍‌ ପଠାଯାଇଥିବାବେଳେ ଡିଣ୍ଡେସି ସେସନ୍ସ କୋର୍ଟରେ ତାର ବିଚାର ଚାଲିଛି। ୨୦୨୧ ଏପ୍ରିଲ ୧୭ରେ ନାବାଳକର ପିତା ଦାୟର କରିଥିବା ଏତଲା ଅନୁଯାୟୀ ଘର ଆଲମାରିରୁ କିଛି ଟଙ୍କା ହଜିଯାଇଥିଲା। ଏନେଇ ସେ ପୁଅକୁ ପଚାରିବାରୁ ଅନଲାଇନ ଗେମ୍ ଖେଳିବା ପାଇଁ ଆପ୍ସ ରିଚାର୍ଜ କରିବା ଲାଗି ଆଲମାରିରୁ ଟଙ୍କା ନେଇ ସେ ଅଭିଯୁକ୍ତକୁ ଦେଇଥିବା କହିଥିଲେ। ଏହା ସହ ଟଙ୍କା ଦେବା ସମୟରେ ଅଭିଯୁକ୍ତ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିବା କଥା ନାବାଳକ ତା’ ବାପାଙ୍କୁ ଜଣାଇଥିଲେ। ଏ ବିଷୟରେ ଜାଣିବା ପ‌ରେ ନାବାଳକର ବାପା ପୁଲିସରେ ପସ୍କୋ ଅଧିନିୟମ ଅନୁଯାୟୀ ଓ ଧାରା ୩୭୭ ଅନୁଯାୟୀ ଏତଲା ରୁଜୁ କରିଥିଲେ। ଧାରା ୩୭୭ ଶାରୀରିକ ସମ୍ପର୍କ କିମ୍ବା ଅନ୍ୟ କୌଣସି ଅପ୍ରାକୃତିକ କାର୍ଯ୍ୟକୁ ଏକ ଦଣ୍ଡନୀୟ ଅପରାଧ ବିବେଚନା କରାଯାଇଥାଏ।

ଆଇପିସିର ଧାରା ୩୭୭ ଲାଗିଲେ ଦୋଷୀକୁ ଆଜୀବନ କାରାଦଣ୍ଡ ହେବା ସହ ଜାମିନ ପ୍ରଦାନ କରିବା କଷ୍ଟସାଧ୍ୟ ହୋଇଥାଏ। କିନ୍ତୁ ବିଚାରପତି ପ୍ରଭୁଦେଶାଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାବେଳେ କହିଛନ୍ତି ଯେ, ନାବାଳକର ଡାକ୍ତରୀ ପରୀକ୍ଷା‌ ରିପୋର୍ଟରୁ ସେ ଯୌନ ନିର୍ଯାତନାର ଶିକ‌ାର ହୋଇଥିବା କଥା ଜଣାପଡ଼ିନାହିଁ। ନାବାଳକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଦୋଷୀ ପୀଡ଼ିତଙ୍କ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିଲା, ଯାହା ଅପ୍ରାକୃତିକ ନୁହେଁ। ତେଣୁ ଧାରା ୩୭୭ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇପାରିବ ନାହିଁ। ଜଷ୍ଟିସ ପ୍ରଭୁଦେଶାଇ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଏକ ବର୍ଷ ହେଲାଣି ଜେଲରେ ଅଛନ୍ତି ା ମାମଲାର ଶୁଣାଣି ଏବେ ଆରମ୍ଭ ହେବାର ସମ୍ଭାବନା ନାହିଁ। ତେଣୁ ତାଙ୍କୁ ଜାମିନ ମିଳିବା ଆବଶ୍ୟକ । ସେଥିପାଇଁ ୩୦,୦୦୦ ଟଙ୍କାର ଜମାନତ ରାଶି ସହ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରୁଛି। ଉପରୋକ୍ତ ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନକାରୀ ଜାମିନ ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି।

Comments are closed.