ପାଟଣାଗଡ଼ ଫିଲ୍ମ ରିଲିଜ ଉପରେ ଲାଗିଲା ଅଙ୍କୁଶ, ସମସ୍ତପକ୍ଷଙ୍କୁ ନୋଟିସ କଲେ ମୁମ୍ବଇ ହାଇକୋର୍ଟ

ସମାଜ ପୋର୍ଟାଲ ଡେସ୍କ : ପାଟଣାଗଡ଼ ବୋମା ବିସ୍ଫୋରଣ ଉପରେ ଆଧାରିତ ଫିଲ୍ମ “ପାଟଣାଗଡ଼” ରିଲିଜ ଉପରେ ଅଙ୍କୁଶ ଲାଗାଇଛନ୍ତି ମୁମ୍ବଇ ହାଇକୋର୍ଟ। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନୋଟିସ କରିଛନ୍ତି କୋର୍ଟ। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନୋଟିସ ହୋଇଛି। ଫିଲ୍ମକୁ ନେଇ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେର ଏନେଇ ମୁମ୍ବଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଫିଲ୍ମର ପ୍ରଦର୍ଶନ ଓ ନିର୍ମାଣ ବିରୋଧରେ ଆବେଦନ କରିଥିଲେ ପୁଞ୍ଜିଲାଲଙ୍କ ପରିବାର। ଫିଲ୍ମଟି ଉଭୟ ତେଲଗୁ ଏବଂ ଓଡ଼ିଆ ଭାଷାରେ ହେଉଥିବାରୁ ଏହାର ବିଚାର ମୁମ୍ବଇ ହାଇକୋର୍ଟ ଅଧୀନରେ ଆସୁଛି।

ପାଟଣାଗଡ଼ ଫିଲ୍ମରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ପ୍ରମୋଟର ଭାବେ ଚିତ୍ରଣ କରିବା ସହ ପୁଞ୍ଜିଲାଲ ମେହେରଙ୍କୁ ଏଥିରେ ଖଳନାୟକ ଭାବେ ଚିତ୍ରଣ କରାଯାଇଛି। ଏଥିପାଇଁ କ୍ଷମାପ୍ରାର୍ଥନା ପାଇଁ ନୋଟିସ କରାଯାଇଛି। ଅନ୍ୟପକ୍ଷରେ ଅରୁଣ ବୋଥ୍ରା ପୁଞ୍ଜିଲାଲ୍ ମେହେରଙ୍କୁ ଫସାଇ ଦେଇଥିବା ପୁଞ୍ଜିଲାଲଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

୨୦୧୮ ଫେବ୍ରୁଆରି ୨୩ରେ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ନବବିହାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କର ଜେଜେମାଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ରୀମାରାଣି ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାର ମୁଖ୍ୟ ଖଳନାୟକ ଥିଲେ ପୁଞ୍ଜିଲାଲ ମେହେର। ଏହାକୁ ନେଇ ପାଟଣାଗଡ଼ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମର ପୁଞ୍ଜିଲାଲ୍ ମେହେରଙ୍କ ଭୂମିକାରେ ଥିଲେ ଓଲିଉଡ୍ କଳାକାର ମନୋଜ ମିଶ୍ର। ଘଟଣାର ପର୍ଦ୍ଦାଫାସ କରିଥିବା କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଥିଲେ ବଲିଉଡ୍ କଳାକାର ଅତୁଲ କୁଲ୍କର୍ଣ୍ଣୀ। ସେହିପରି ତେଲୁଗୁ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ତାନିକେଲା ଭରନୀ ରହିଛନ୍ତି।

Comments are closed.