ଆଜି ମୁମ୍ବଇ-ଦିଲ୍ଲୀ କ୍ବାଲିଫାୟର -୧ : ଫାଇନାଲ ଲକ୍ଷ୍ୟରେ ଉଭୟ ଦଳ 

ଦୁବାଇ : ଆଇପିଏଲର ୧୩ଶ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଗତବର୍ଷର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ବିଜୟ ସହ ସିଧାସଳଖ ଫାଇନାଲକୁ ଉନ୍ନୀତ ହେବା ଲକ୍ଷ୍ୟ ରଖିଛନ୍ତି। ପଏଣ୍ଟ ଟେବୁଲର ପ୍ରଥମ ୨ଟି ସ୍ଥାନରେ ଥିବା ଏହି ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଅନୁମାନ କରାଯାଉଛି।

ରୋହିତ ଶର୍ମା ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୧୪ଟି ଲିଗ୍‌ ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଶୀର୍ଷରେ ରହିଛି। ତେବେ ଶେଷ ମ୍ୟାଚ୍‌ରେ ସନ୍‌ରାଇଜର୍ସ ନିକଟରୁ ଚଳିତ ସିଜିନ୍‌ରେ ମୁମ୍ବଇ ତା’ର ସବୁଠାରୁ ବଡ଼ ପରାଜୟ ଭୋଗିଛି। ତେବେ ମୁମ୍ବଇ ଏହି ମ୍ୟାଚ୍‌ରେ ଯଶପ୍ରୀତ ବୁମ୍‌ରା, ଟ୍ରେଣ୍ଟ ବୋଲ୍‌ଟ ଓ ହାର୍ଦିକ ପାଣ୍ଡ୍ୟା ଖେଳିନଥିଲେ। ଗୁରୁବାରର ମ୍ୟାଚ୍ ପାଇଁ ଧବଳ କୁଲକର୍ଣ୍ଣୀ ଓ ନାଥାନ୍ କୌଲ୍‌ଟର-ନାଇଲ୍‌ଙ୍କ ସ୍ଥାନରେ ବୁମ୍‌ରା ଓ ବୋଲ୍‌ଟ ଏବଂ ସୌରଭ ତିୱାରୀଙ୍କ ସ୍ଥାନରେ ହାର୍ଦିକ ଖେଳିପାରନ୍ତି। ଅଦ୍ୟାବଧି କ୍ବିଣ୍ଟନ ଡି କକ୍‌ ୪୪୩, ଇଶାନ କିଷନ ୪୨, ସୂର୍ଯ୍ୟକୁମାର ଯାଦବ ୪୧, ରୋହିତ ଶର୍ମା ୨୬୪, କୈରନ ପୋଲାର୍ଡ ୨୫୯ ଓ ହାର୍ଦିକ ପାଣ୍ଡ୍ୟା ୨୪୧ ରନ୍‌ କରିଛନ୍ତି। ରୋହିତ ସୁସ୍ଥହୋଇ ଫେରି ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ ହେଁ ସେ ଜଣେ ମ୍ୟାଚ୍ ବିଜେତା। ଯଶପ୍ରୀତ ବୁମ୍‌ରା-ଟ୍ରେଣ୍ଟ ବୋଲ୍‌ଟ ଫାଷ୍ଟ ବୋଲିଂ ଯୋଡ଼ି ଚମତ୍କାର ପ୍ରଦର୍ଶନ କରିଛନ୍ତି। ବୁମ୍‌ରା ୨୩ଟି ଓ ବୋଲ୍‌ଟ ୨୦ଟି ୱିକେଟ ନେଇଛନ୍ତି। ଲେଗ୍‌ସ୍ପିନର ରାହୁଲ ଚହର ୧୫ଟି ୱିକେଟ ନେବାରେ ସକ୍ଷମ ହୋଇଛନ୍ତି।

ଅଲ୍‌ରାଉଉଣ୍ଡର ଭାବେ କ୍ରୁନାଲ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିବା ବେଳେ ପୋଲାର୍ଡ ଯେକୌଣସି ବୋଲିଂକୁ ଖିନ୍‌ଭିନ୍ କରିପାରନ୍ତି। ଶ୍ରେୟାସ ଆୟର ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୪ଟି ମ୍ୟାଚରୁ ୮ଟି ବିଜୟ ଓ ୬ଟି ପରାଜୟ ସହ ୧୬ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି। ଶିଖର ଧାୱନ ୫୨୫, ଶ୍ରେୟାସ ଆୟର ୪୨୧ ରନ୍‌କରି ଭଲ ଫର୍ମରେ ଅଛନ୍ତି। ମ​‌ାର୍କସ ଷ୍ଟୋଇନିସ୍‌ ୨୪୯, ପ୍‌ୃଥ୍ବୀ ସ ୨୨୮, ସିମ୍ରନ ହେତ୍‌ମେୟର ୧୨୮ ମଧ୍ୟ ରନ୍ କରିଛନ୍ତି। ଶେଷ ଲିଗ୍‌ ମ୍ୟାଚରେ ରାହାଣେ ଫର୍ମକୁ ଫେରିବା ଦଳକୁ ଆଶ୍ବସ୍ତି କରିଛି। ବୋଲିଂରେ କାଗିସୋ ରାବଡା ୨୫ଟି, ଅାନରିଚ୍‌ ନ୍ୟୋର୍ଜ୍ୟ ୧୯ଟି, ରବିଚନ୍ଦ୍ରନ ଅଶ୍ବିନ ୧୦ଟି, ଷ୍ଟୋଇନିସ୍‌ ୮ଟି ୱିକେଟ ନେଉଛନ୍ତି। ଉଭୟ ଦଳ ଫାଷ୍ଟ ବୋଲିଂରେ ବେଶ ଶକ୍ତିଶାଳୀ ରହିଛନ୍ତି। ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ଦୁଇଥର ମୁହଁାମୁହିଁ ହୋଇଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ୨ଟି ଯାକ ମ୍ୟାଚ୍ ଜିତିଥିଲା। ତେଣୁ ଗୁରୁବାରର ମ୍ୟାଚ୍‌ରେ ମୁମ୍ବଇ ହିଁ ଫେଭରିଟ୍‌।

Comments are closed.