ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା : ‘ରେପୋ’ ରେଟ୍‌ ଅପରିବର୍ତ୍ତିତ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ତାହାର ମୁଦ୍ରାନୀତି ସମୀକ୍ଷା ଅବସରରେ ରେପୋ ରେଟ୍‍କୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‍ପିସି) ତାହାର ଷାଣ୍ମାସିକ ସମୀକ୍ଷା କାଳରେ ଦେଶର ସାମ୍ପ୍ରତିକ ଅର୍ଥନୈତିକ ଦୃଶ୍ୟପଟ୍ଟକୁ ଆକଳନ କରିବାପରେ ରେପୋ ରେଟ୍‍ (ବ୍ୟାବସାୟିକ ବ୍ୟାଙ୍କସମୂହ ସେମାନଙ୍କର ପ୍ରତିଭୂତି ବିନିମୟରେ ରିଜର୍ଭ ବ୍ୟାଙ୍କରୁ ଯେଉଁ ହାରରେ ଋଣ ନିଅନ୍ତି) ୫.୧୫%ରେ ଅପରିବର୍ତ୍ତିତ ରଖିଛି। ତତ୍‍ସହିତ ରିଭର୍ସ ରେପୋ ରେଟ୍‍ (ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ବ୍ୟାବସାୟିକ ବ୍ୟାଙ୍କଗୁଡିକ ନିକଟରୁ ପାଣ୍ଠି ସଂଗ୍ରହ କରେ) ୪.୯୦%ରେ ଅପରିବର୍ତ୍ତିତ ରହିଛି। ଏହି ସମୀକ୍ଷା କାଳରେ ବ୍ୟାଙ୍କ ହାରକୁ ୫.୪୦%ରେ ପୂର୍ବଭଳି ସ୍ଥିର ରଖାଯାଇଛି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ଦେଶରେ ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର ଘଟିବା ପର୍ଯ୍ୟନ୍ତ ଏବଂ ସେହି ସମୟରେ ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ସୀମା ମଧ୍ୟରେ ରଖିବା ଲକ୍ଷ୍ୟରେ ପ୍ରଚଳିତ ମୁଦ୍ରାନୀତିକୁ ନେଇ ଅଗ୍ରସର ହେବା ସପକ୍ଷରେ ମତ ଦେଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୁଦ୍ରାନୀତି କମିଟିର ବୈଠକ ଶେଷଥର ପାଇଁ ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ଏବଂ ସେବେଠାରୁ ବିଶ୍ୱସ୍ତରରେ ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥର ଅବସ୍ଥା ପରିଲକ୍ଷିତ ହେଉଛି। ଅବଶ୍ୟ ଭୌଗୋଳିକ ସୀମାରେଖାକୁ ନେଇ ଏଥିରେ ଭିନ୍ନତା ପରିଲକ୍ଷିତ ହେଉଛି। ୨୦୧୯ର ଶେଷ ତିନିମାସରେ ଆମେରିକା ଅର୍ଥନୀତିର ଅଭିବୃଦ୍ଧି ହାର ୨.୧% ହୋଇଥିବାବେଳେ ପୂର୍ବ ତିନିମାସରେ ଅଭିବୃଦ୍ଧି ହାର ମଧ୍ୟ ସେହି ସମାନ ସ୍ତରରେ ରହିଥିଲା। ତେବେ ୟୁରୋପୀୟ ରାଷ୍ଟ୍ରଗୁଡିକରେ ଗତବର୍ଷ ଶେଷ ତିନିମାସରେ ଆର୍ଥିକ କାର୍ଯ୍ୟକଳାପରେ ମନ୍ଥରତା ପରିଲକ୍ଷିତ ହୋଇଛି। ବିଶେଷକରି ଫ୍ରାନ୍ସ ଓ ଇଟାଲିରେ ଅର୍ଥନୈତିକ କାର୍ଯ୍ୟକଳାପ ଆଶାତୀତ ଭାବେ ହ୍ରାସପାଇଛି। ସେହି ସମୟରେ ଚୀନ ଅର୍ଥନୀତି ୨୯ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ହ୍ରାସପାଇ ୬.୧% ହୋଇଛି। ସେଠାରେ ଘରୋଇ ଚାହିଦା ହ୍ରାସ ଏବଂ ବାଣିଜ୍ୟିକ ଉତ୍ତେଜନା ଦୀର୍ଘକାଳ ଲାଗିରହବା କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ଏଭଳି ଏକ ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ମୁଦ୍ରାନୀତିକୁ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ଅନ୍ୟାନ୍ୟ ସାଧନ ଉପଯୋଗ କରି ଦେଶର ଆର୍ଥିକ ଅଭିବୃଦ୍ଧିରେ ସୁଧାର ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ସେ କହିଛନ୍ତି, ଏମଏସଏମଇ, ଯାନବାହନ ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ସୁବିଧା ସୁଯୋଗ ଅବ୍ୟାହତ ରହିବ। ଫଳରେ ଏହା ଅର୍ଥନୀତିକୁ ସୁଧାରିବାରେ ସହାୟକ ହେବ।

ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ୨୦୧୮ ଏପ୍ରିଲ-ନଭେମ୍ବରରେ ଦେଶକୁ ନେ୍‍ଟ ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ଆଗମନ ୨୧.୨ ବିଲିଅନ ଆମେରିକୀୟ ଡଲାର ଥିବାବେଳେ ୨୦୧୯ର ସେହି ସମୟରେ ତାହା ୨୪.୪ ବିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ବୈଦେଶିକ ପୋର୍ଟଫୋଲିଓ ନିବେଶ ପରିମାଣ ୮.୬ ବିଲିଅନ ଆମେରିକୀୟ ଡଲାର ହୋଇଥିବାବେଳେ ଦେଶରୁ ୧୪.୨ ବିଲିଅନ ଡଲାର ବାହାରକୁ ଯାଇଛି। ୨୦୧୯ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଭାରତର ବୈଦେଶିକ ବାଣିଜ୍ୟିକ ଋଣ ପରିମାଣ ୧୩.୪ ବିଲିଅନ ଡଲାର ହୋଇଥିଲା, ଯାହା ବର୍ଷକ ପୂର୍ବରୁ ସେହି ସମୟରେ ମାତ୍ର ୨.୫ ବିଲିଅନ ଡଲାର ହୋଇଥିଲା।
ଚଳିତ ବର୍ଷ ଫେବୃଆରୀ ୪ତାରିଖ ସୁଦ୍ଧା ଦେଶର ବୈଦେଶିକ ବିନିମୟ ମୁଦ୍ରା ଗଚ୍ଛିତ ପରିମାଣ ୪୭୧.୪ ବିଲିଅନ ଡଲାର ଥିଲା। ସେଥିରେ ୨୦୧୯ ମାର୍ଚ୍ଚ ପରବର୍ତ୍ତୀ ସମୟରେ ୫୮.୫ ବିଲିଅନ ଡଲାର ବୃଦ୍ଧି ଘଟିଥିବା ଜଣାଯାଇଛି।

Comments are closed.