ମହାରାଷ୍ଟ୍ର ସଂରକ୍ଷଣ ତାତି : ମୁମ୍ବଇରେ ଜେଲ୍‍ ଭରୋ ଆନ୍ଦୋଳନ

0

ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି। ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦିଆଯାଇଥିଲେ ହେଁ ଆନ୍ଦୋଳନକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଡ଼ାଜଳା କରିଥିବା ଖବର ମିଳିଛି। ଆଜି ଆନ୍ଦୋଳନକାରୀମାନେ ମୁମ୍ବଇରେ ଜେଲ୍‍ ଭରୋ ଡାକରା ଦେଇଛନ୍ତି। ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି କ୍ରମରେ ଆଜି ମୁ୍‍ମ୍ବଇର ଆଜାଦ୍‍ ମୌଦାନଠାରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ରାଲି ବାହାରିଥିଲା। ଦାବି ମଧ୍ୟରେ ବିଜେପିର ପୂର୍ବଘୋଷଣା ଅନୁଯାୟୀ ସରକାରୀ ଶିକ୍ଷା ଓ ଚାକିରି କ୍ଷେତ୍ରରେ ମରାଠାଙ୍କୁ ସଂରକ୍ଷଣ, ଆନ୍ଦୋଳନକାରୀଙ୍କ ଉପରୁ ମାମଲା ପ୍ରତ୍ୟାହାର, ଜୁଲାଇ ୨୫ ତାରିଖରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଗୁଳି ଓ ଲାଠି ଚାଳନା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମରାଠା ସମ୍ପ୍ରଦାୟ ବିରୋଧରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ବିଧାୟକ ଓ ମନ୍ତ୍ରୀଙ୍କ ଇସ୍ତଫା, ଆନ୍ଦୋଳନ ବେଳେ ମୃତାହତଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା, ଋଣ ଛାଡ଼, କୋପାରଦି ବଳାତ୍କାର ମାମଲାରେ ନ୍ୟାୟ ଆଦି ରହିଛି। ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ପ୍ରାଣହାନି ଘଟିଛି।
ସମସ୍ୟାର ସମାଧାନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ ସର୍ବଦଳୀୟ ଓ ମନ୍ତ୍ରିମଣ୍ଡଳ ବୈଠକ ଡାକି ଆଲୋଚନା କରିଛନ୍ତି। ଆନ୍ଦୋଳନକାରୀ ନେତାଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି।

Leave A Reply