ଜୋସେଫ୍ (୬/୧୨)ଙ୍କ ବୋଲିଂ ରେକର୍ଡ ; ହାଇଦରାବାଦ ୪୦ ରନ୍‌ରେ ପରାସ୍ତ

ହାଇଦରାବାଦ : ଆଇପିଏଲ୍‌ ଇତିହାସରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର (୬/୧୨) ହାସଲ କରିଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସର ଆଲ୍‌ଜାରି ଜୋସେଫ୍‌। ଜୋସେଫ୍‌ଙ୍କ ଏହି ଘାତକ ବୋଲିଂ ବଳରେ ଶନିବାର ଆଇପିଏଲ୍‌ରେ କମ୍ ସ୍କୋର୍‌ର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୪୦ ରନ୍‌ରେ ପରାସ୍ତ କରିଛି ମୁମ୍ବଇ। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ କୈରନ୍ ପୋଲାର୍ଡଙ୍କ ବିସ୍ଫୋରକ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସ ୭ ୱିକେଟରେ ୧୩୬ ରନ୍ କରିଥିଲା। ପରେ ଆଲ୍‌ଜାରି ଜୋସେଫ୍ ୬ଟି ୱିକେଟ ନେବାରୁ ସନ୍‌ରାଇଜର୍ସ ୧୭.୪ ଓଭରରେ ୯୬ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା। ମୁମ୍ବଇ ଇଣ୍ଡିଆନ୍‌ସର ଏହା ୩ୟ ବିଜୟ ହୋଇଥିବା ବେଳେ ସନ୍‌ରାଇଜର୍ସ ୨ୟ ପରାଜୟ ଭୋଗିଛି ।
ସନ୍‌ରାଇଜର୍ସ ଓପ୍‌ନିଂ ଯୋଡ଼ିରେ ଦ୍ରୁତ ୩୩ ରନ୍‌ କରିବା ପରେ ପରବର୍ତ୍ତୀ ବ୍ୟାଟ୍‌ସମ୍ୟାନ୍ ଧିମା ବ୍ୟାଟିଂକରିବା ସହ ନିୟମିତ ଭାବେ ଆଉଟ ହୋଇଥିଲେ। ଡେଭିଡ୍ ୱାର୍ଣ୍ଣର ୧୫ ଓ ଜନି ବେୟାରଷ୍ଟୋ ୧୬ ରନ କରିଥିଲେ। ପରେ ଦୀପକ ହୁଡା ୨୦, ମନୀଷ ପାଣ୍ଡେ ୧୬ ଓ ମହମ୍ମଦ ନବି ୧୧ ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ଫାଷ୍ଟବୋଲର ଆଲ୍‌ଜାରି ଜୋସେଫ୍ ୩.୪ ଓଭରରୁ ମାତ୍ର ୧୨ ରନ୍‌ଦେଇ ୬ଟି ୱିକେଟ ନେଇଥିଲେ। ଏହା ଆଇପିଏଲ୍‌୍‌ରେ ବୋଲିଂ ରେକର୍ଡ। ୨୦୦୮ରେ ଚେନ୍ନଇ ବିପକ୍ଷରେ ରାଜସ୍ଥାନର ସୋହେଲ ତନବିର ୧୪ ରନ୍‌ଦେଇ ୬ଟି ୱିକେଟ ନେଇଥିଲେ; ଯାହାକୁ ଏହି ମ୍ୟାଚ୍‌ରେ ଆଲ୍‌ଜାରି ଜୋସେଫ୍ ଅତିକ୍ରମ କରି ପାରିଛନ୍ତି। ଜୋସେଫ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ସନ୍‌ରାଇଜର୍ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ମୁମ୍ବଇ ଇଣ୍ଡିଆନ୍‌ସର ଅଧିକାଂଶ ବ୍ୟାଟ୍‌ସମ୍ୟାନ୍ ବେଶ୍ କିଛି ସମୟ କ୍ରିଜ୍‌ରେ ବିତାଇଥିଲେ ମଧ୍ୟ ପୋଲାର୍ଡଙ୍କୁ ଛାଡ଼ି କେହି ବଡ଼ ସ୍କୋର୍ କରି ପାରିନଥିଲେ। ଓପ୍‌ନିଂ ଯୋଡ଼ି ୨୧ ରନ୍ କରିବା ପରେ ଅଧିନାୟକ ରୋହିତ ଶର୍ମା ୧୧ ଓ ସୂର୍ଯ୍ୟକୁମାର ଯାଦବ ୭ ରନ୍‌କରି ବିଦାୟ ନେଇଥିଲେ। କ୍ବିଣ୍ଟନ ଡି କକ୍ ୧୯ ରନ୍ କରିଥିଲେ। ପରେ ଇଶାନ୍ କିଷନ୍ ୧୭ ଓ କ୍ରୁନାଲ ପାଣ୍ଡ୍ୟା ୬ ରନ୍‌କରି ବିଦାୟ ନେଇଥିଲେ। ୧୩ ଓଭରରେ ୬୫ ରନ୍‌ରେ ମୁମ୍ବଇ ୫ଟି ୱିକେଟ ହରାଇବା ପରେ କୈରନ୍ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା ୩୧ ରନ୍ ଯୋଡ଼ିଥିଲେ। ହାର୍ଦିକ ୧୪ ରନ୍‌ କରିଥିଲେ। ପୋଲାର୍ଡଙ୍କ ପ୍ରହାର ଯୋଗୁଁ ଶେଷ ୨ ଓଭରରୁ ମୁମ୍ବଇ ୩୯ ରନ୍ ନେଇ ପାରିଥିଲା। ଆକ୍ରମଣାତ୍ମକ ବ୍ୟାଟିଂକରି ପୋଲାର୍ଡ ୨୬ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୬ ରନ୍‌କରି ଅପରାଜିତ ଥିଲେ। ସିଦ୍ଧାର୍ଥ କୌଲ ୨ଟି ୱିକେଟ ନେଇଥିଲେ।

Comments are closed.