ଜୀବନ ଏକ ନାଟକ…. ବିବିଧ ରଙ୍ଗରେ ରଙ୍ଗାୟିତ ନିଗମ ନାଥ

ବଲାଙ୍ଗିର : ଜନ୍ମ ଓ ମୃତ୍ୟୁ ଧ୍ରୁବ ସତ୍ୟ । କିଛି ଲୋକ ଜୀବନର ଏହି ଭିଡ ଭିତରୁ ବାହାରି ଛିଡ଼ା ହୁଅନ୍ତି । ଜୀବନ ସହ ଜୁଝନ୍ତି । ତାଙ୍କ କର୍ମ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣା । କବିତା, ଗପ ଲେଖିବା ରୁଚିରୁ ଆରମ୍ଭ କରି ଅଭିନୟରେ ମତୁଆଲା ହୁଅନ୍ତି । ସୁଖ ଓ ଦୁଃଖର ଫେଣ୍ଟାଫେଣ୍ଟି ଜୀବନକୁ ଉପଭୋଗ କରନ୍ତି। ଏବେ ତାଙ୍କ କଳାତ୍ମକ ଡିଜାଇନ୍ ବେଶ ଚର୍ଚ୍ଚିତ । ସେ ହେଉଛନ୍ତି ବଲାଙ୍ଗିର ହାଟପଦାପଡ଼ାରେ ରହୁଥିବା ୫୦ ବର୍ଷୀୟ ନିଗମ ନାଥ।
‘ହେଟା ହେନ୍ତା ହେବାନ’ ନାଟକ । ଏହି ନାଟକରେ ପୁରୁଷ ବି ମହିଳା ଭୂମିକାରେ ଅଭିନୟ କରୁଥିଲେ। ଯାହାକୁ ନେଇ ଶ୍ରୀ ନାଥ ଲେଖିଥିଲେ କବିତା ‘ସଭ୍ୟାରାଣୀ’। ସେତେବେଳେ ରାଜ୍ୟରେ ପ୍ରକାଶିତ ଶ୍ୟାମପ୍ରସାଦ ଚୌଧୁରୀଙ୍କ ପତ୍ରିକା ‘ପ୍ରତିବେଶୀ’ରେ ପ୍ରକାଶିତ ହୋଇଥିଲା। ସଭ୍ୟାରାଣୀ କବିତା ସହ ପୁରୁଷ ଭୂମିକାରେ ଅଭିନୟ କରୁଥିବା ମହିଳାଙ୍କ ଫଟୋଟି ବି ବାହାରିଥିଲା । ଯାହାକୁ ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଥିଲା । ସେ ପୁରୁଷ ନା ମହିଳା! ହାଟପଦାପଡ଼ାରେ ରହୁଥିବା ଶ୍ରୀ ନାଥଙ୍କ ଛାତ୍ର ଜୀବନ ପିଆର୍ ହାଇସ୍କୁଲ ଓ ପରେ ସେ ଭୁବନେଶ୍ୱର ଏକାମ୍ର କଲେଜରେ ସ୍ନାତକ ହୋଇଥିଲେ। ଡ୍ରିମ୍ ଫେଷ୍ଟ ଆଦି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। ସେତେବେଳେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବଢିଥିଲା। ତା’ସହ ସେ ଲେଖାଲେଖି ବି କରୁଥିଲେ। ପ୍ରତିବେଶୀ ପତ୍ରିକାର ସଂପାଦକ ଶ୍ରୀ ଚୌଧୁରୀଙ୍କ ସହ ତାଙ୍କର ନିୟମିତ ପତ୍ରାଳାପ ଚାଲିଥିଲା । ଶ୍ରୀ ନାଥଙ୍କ କହିବା ଅନୁସାରେ, ଥରେ ଏକ ପୋଷ୍ଟକାର୍ଡରେ ଶ୍ରୀ ଚୌଧୁରୀ ତାଙ୍କୁ ତାଙ୍କ ଅନୁଚ୍ଚାରିତ ଭାଷାରେ ଲେଖାଟିଏ ଲେଖି ପଠାଇବାକୁ କହିଥିଲେ । ତାଙ୍କୁ ସେତେବେଳେ ୩୨ ବର୍ଷ । ୩୨ ବର୍ଷ ମଧ୍ୟରେ ତାଙ୍କ ଜୀବନର ଘଟିଥିବା ଘଟଣାଗୁଡ଼ିକୁ ନଲୁଚାଇ ନିରୁତା ଲେଖି ଦେଇଥିଲେ ‘ବେପରୁଆ ବୟସର ବକ୍ତବ୍ୟ’ ଗପ ଜରିଆରେ । ଯେଉଁଥିରେ ସେ ରାୟପୁରର ଜଣେ ଦଲାଲ ଜରିଆରେ ବେଶ୍ୟା ନିକଟରେ ପହଞ୍ଚିଥିଲେ, କାନ୍ଦିବା ପରେ ସେ ସେଠାରୁ ମୁକ୍ତି ପାଇଥିବା କଥା ବି ଲେଖିବାକୁ ପଛେଇ ନଥିଲେ । ତାହା ପ୍ରକାଶିତ ହେବା ପରେ ବେଶ ଆଦୃତ ହୋଇଥିଲା । କିନ୍ତୁ ପରିବାର ଲୋକେ ଏହି ଗପକୁ ନାପସନ୍ଦ କରିଥିଲେ।

୧୯୯୭ରେ ସେ ବଲାଙ୍ଗିରରର ଅନ୍ୟତମ ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ରେ ଯୋଗ ଦେଇଥିଲେ। ସରଳ ଭାଷା ଓ ଭାବଗମ୍ଭିର ଭାବେ ୨୦ଟି ଏକପଦୀ କବିତା ପାଠ କରି ସେ ପ୍ରଶଂସା ସାଉଁଟିଥିଲେ । ପ୍ରଥମ କରି ଟି-ସାର୍ଟରେ ନିଜର ଫଟୋ ସହ କବିତା ଛପେଇ ପିନ୍ଧୁଥିଲେ ସେ । ତାହା ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିଥିଲା । କବିତା, ଗପ, ନାଟକରେ ପେଟ ପୂରେନା । ତେଣୁ ସେ ପ୍ରଥମେ ସ୍କ୍ରିନ ପ୍ରିଣ୍ଟିଂ ଖୋଲି କାର୍ଡ ଆଦି ଛାପୁଥିଲେ। ପରବର୍ତ୍ତୀ ସମୟରେ ସ୍କ୍ରିନ ପିଣ୍ଟିଂ ବଦଳରେ ସେ କମ୍ପ୍ୟୁଟର କିଣି ନିଜେ ନିଜେ ସେଥିରୁ ଶିଖି ମାନପତ୍ର, ପ୍ରଶଂସାପତ୍ର, ପୋଷ୍ଟର, ହୋର୍ଡିଂ ଆଦି ନିଜେ ଡିଜାଇନ୍ କରିବା ଆରମ୍ଭ କରିଥିଲେ। ନିଜ ଭାବନାକୁ ଅନ୍ୟର ଭାବ ସହ ଯୋଡି ସେ ଏହି ସବୁ ପ୍ରସ୍ତୁତ କରୁଥିବାରୁ ଲୋକଙ୍କ ମନକୁ ଛୁଇଁବାକୁ ଲାଗିଲା । ଏବେ ତାଙ୍କ ପାଖରେ କାମ କରାଇବା ପାଇଁ ଲୋକଙ୍କର ଭିଡ ହୁଏ । ସମୟ ଅନୁସାରେ କାମ କରି ଦେବା ତାଙ୍କ ଦାୟିତ୍ୱ ବୋଲି ସେ ବିଚାର କରନ୍ତି । ମା’, ସ୍ତ୍ରୀ, ଭଉଣୀ, ଭାଇ-ଭାଉଜ ସହ ପରିବାର ଲୋକଙ୍କ ସମର୍ଥନ ତାଙ୍କୁ ଏତେ ବାଟ ନେଇଛି କହନ୍ତି ଶ୍ରୀ ନାଥ । ସେହିପରି ଆକାଶବାଣୀ ଜରିଆରେ ତାଙ୍କ ଲିଖିତ କବିତାଗୁଡ଼ିକ ଗୀତ ଆକାରରେ ବାଜୁଥିଲା । ଡିସେମ୍ବର ୩୧ ରାତିରେ ଶଙ୍କର ନନ୍ଦଙ୍କ ନିର୍ଦ୍ଦେଶନାରେ ବବଲୁ ଗାଇଥିବା ‘ଋତୁ ପରି ତୁମେ ଯେବେ ଗଲଗୋ ବଦଳି…ଆମ ପ୍ରେମ ମିଛ ବୋଲି ଗଲ ମୋତେ ଭୁଲି’ ସାରା ଓଡ଼ିଶାରେ ବାଜିବା ତାଙ୍କୁ ଭାବବିହ୍ୱଳ କରିଥିଲା । ତାଙ୍କ କହିବା ଅନୁସାରେ, ହାଟପଦାପଡ଼ାରେ ସେ ଜନ୍ମ । ହାଟ ପ୍ରତି ତାଙ୍କର ଦୁର୍ବଳତା ଢେର । ଇତିମଧ୍ୟରେ ସେ ୨୪ଟି ରାଜ୍ୟ ବୁଲି ସାରିଛନ୍ତି । ଆଉ ସେଠାକାର ହାଟ ଦେଖିଲେ ସେ ସେଠାରେ ଘୁରିବୁଲିବାକୁ ବେଶ ପସନ୍ଦ କରନ୍ତି । ମୃତ୍ୟୁ ପରେ ଲୋକଙ୍କ ଫଟୋ କାନ୍ଥରେ ଟଙ୍ଗା ହୁଏ । ହେଲେ ସେ ଥରେ ତତ୍କାଳୀନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଭୁବନେଶ୍ୱର ସ୍ଥିତ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ମାନପତ୍ର କାନ୍ଥରେ ଟଙ୍ଗା ହୋଇଥିବାରୁ ବେଶ ଖୁସି ପ୍ରକାଶ କରିଥିଲେ । ଦୁଃଖ ନୁହେଁ । ହସଖୁସିରେ ଜିଉଁଥିବା ଶ୍ରୀ ନାଥଙ୍କ ଇଚ୍ଛା ଯେ, ଏକପଦୀରେ ଶହେଟି କବିତା ଲେଖି ଏହାର ସେ ସଂକଳନ କରିବେ। ଏହା ହେବ ତାଙ୍କର ପ୍ରଥମ ଓ ଶେଷ କାର୍ଯ୍ୟ।

Comments are closed.