ମୁଲ୍ଲା ମହମ୍ମଦ ହାସନ ଆଖୁନ୍ଦ ତାଲିବାନ ଶାସନର ମୁଖ୍ୟ ହେବେ

କାବୁଲ: ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀ ଦ୍ୱାରା ସରକାର ଗଠନ ଆପାତତଃ ସ୍ଥିର ହୋଇଛି। ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ନେଇ ତାଲିବାନ ଏବଂ ଏହାକୁ ସମର୍ଥନ କରୁଥିବା ଅନ୍ୟ ଆତଙ୍କି ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ କାରଣରୁ ସମୁଦାୟ ପ୍ରକ୍ରିୟା ବିଳମ୍ବିତ ହୋଇଚାଲିଥିଲା। ତେବେ ସୋମବାର ପାକିସ୍ତାନ ମଧ୍ୟସ୍ଥତାରେ ସେମାନେ ବିଭିନ୍ନ ପଦବୀ ନିମନ୍ତେ ସେମାନଙ୍କ ନେତୃତ୍ୱଙ୍କ ନାମ ଏକପ୍ରକାର ସ୍ଥିର କରିଛନ୍ତି। ତଦନୁଯାୟୀ ମୁଲ୍ଲା ମହମ୍ମଦ ହାସନ ଆଖୁନ୍ଦ ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ସ୍ଥାନୀୟ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଅମିରୁଲ ମୋମିନିନ ଶେଖ ହବାତୁଲ୍ଲା ଆଖୁନଜାଦା ନିଜେ ମୁଲ୍ଲା ମହମ୍ମଦ ହାସନ ଆଖୁନ୍ଦଙ୍କ ନାମ ରଇସ-ଇ-ଜମୁର ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ଅର୍ଥ ସେ ଆଫଗାନିସ୍ତାନରେ ତାଲିବାନି ସରକାରର ମୁଖ୍ୟ ହେବେ। ମୁଲ୍ଲା ବରାଦର ଆଖୁନ୍ଦ ଏବଂ ମୁଲ୍ଲା ଅବଦୁସ ସଲାମ ତାଙ୍କ ଅଧୀନରେ ଉପମୁଖ୍ୟ ଭାବରେ କାର୍ଯ୍ୟ କରିବେ। ମୁଲ୍ଲା ମହମ୍ମଦ ହାସନ ଆଖୁନ୍ଦ ସଂପ୍ରତି ତାଲିବାନର ନିଷ୍ପତ୍ତି ଗ୍ରହଣକାରୀ ପରିଷଦ ‘ରେହବାରି ଶୁରା’ର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ସେ ୨୦ ବର୍ଷ ଧରି ଏହାର ମୁଖ୍ୟ ରହିଆସିଛନ୍ତି ଏବଂ ଆତଙ୍କି ଗୋଷ୍ଠୀ ମଧ୍ୟରେ ତାଙ୍କର ଖ୍ୟାତି ରହିଛି। ସେ ସାମରିକ ପୃଷ୍ଠଭୂମି ଅପେକ୍ଷା ଜଣେ ଧର୍ମୀୟ ନେତା ଭାବରେ ଅଧିକ ପରିଚିତ। ପୂର୍ବର ତାଲିବାନ ସରକାର ସମୟରେ ମଧ୍ୟ କାନ୍ଦାହାର ଜନ୍ମିତ ଆଖୁନ୍ଦ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେ ମୁଲ୍ଲା ମହମ୍ମଦ ରବାନି ଆଖୁନ୍ଦଙ୍କ ନେତୃତ୍ୱରେ ଗଠିତ ସରକାରରେ ଉପ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିସହିତ ହକାନି ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକାନି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ, ତାଲିବାନି ନେତା ତଥା ଏହି ଆତଙ୍କି ଗୋଷ୍ଠୀର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହେବେ ବୋଲି କୁହାଯାଉଛି। ସେହିଭଳି ଜବିଉଲ୍ଲା ମୁଜାହିଦ ଦେଶର ସୂଚନା ମନ୍ତ୍ରୀ ଏବଂ ମୁଲ୍ଲା ଅମିର ଖାନ୍‍ ମୁତ୍ତାକି ବୈଦେଶିକ ମନ୍ତ୍ରୀ ହେବେ ବୋଲି ସ୍ଥିର କରାଯାଇଛି।

Comments are closed.