ତାମିଲନାଡୁକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ; ମୁଲାପେରିୟାର ଡ୍ୟାମ୍‍ ଜଳସ୍ତର ୧୩୯ ଫୁଟ୍‍ ରହିବ

0

ନୂଆଦିଲ୍ଲୀ : କେରଳରେ ପ୍ରଳୟଙ୍କରୀ ବନ୍ୟା ବିଭୀଷିକାକୁ ଦୃଷ୍ଟିରେ ରଖି ମୁଲାପେରିୟାର ଜଳଭଣ୍ଡାରର ଜଳସ୍ତର ଅଗଷ୍ଟ ୩୧ ପର୍ଯ୍ୟନ୍ତ ୧୩୯ ଫୁଟ୍‍ ମଧ୍ୟରେ ସୀମତ ରଖିବାକୁ ତାମିଲନାଡ଼ୁ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ଏଥିସହ ଏହି ଡ୍ୟାମ୍‍ ଜଳସ୍ତର ପରିଚାଳନା ଲାଗି ଉଦ୍ଦିଷ୍ଟ କମିଟିର ନିର୍ଦେଶାବଳୀ ପାଳନ କରିବା ତଥା ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିବାରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଉଭୟ ତାମିଲନାଡୁ ଏବଂ କେରଳ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ଡ୍ୟାମ୍‍ର ଜଳସ୍ତର ସୁପ୍ରିମକୋର୍ଟଙ୍କ ଦ୍ୱାରା ପୂର୍ବରୁ ଅନୁମୋଦ୍ୟ ସ୍ତରଠାରୁ ୨ ଫୁଟ୍‍ ତଳକୁ ଅର୍ଥାତ୍‍ ୧୩୯ ଫୁଟ୍‍ ରଖିବା ଲାଗି ଅଗଷ୍ଟ ୨୩ରେ ଡ୍ୟାମ୍‍ର ଜଳସ୍ତର ପରିଚାଳନା କମ୍‍ିଟି ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଜଳଭଣ୍ଡାରର ଜଳସ୍ତର ସୀମା ନିର୍ଦ୍ଧାରଣ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବ ବୋଲି ତାମିଲନାଡୁ ସରକାର ଅଭିଯୋଗ କରିଥିଲେ। ମାତ୍ର କମିଟିର ନିଷ୍ପତ୍ତ ତର୍ଜମା ପରେ କେରଳରେ ବିପର୍ଯ୍ୟୟ ପରିଚାଳନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଥିବା ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏମ୍‍. ଏମ୍‍. ଖାନ୍‍ୱିଲକର ଓ ଡି. ୱାଇ ଚନ୍ଦ୍ରଚୂଡଙ୍କ ପୀଠ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ। ଏହି ସମୟ ମଧ୍ୟରେ ନିଜ ନିଜ ପ୍ରତିକ୍ରିୟା ଅଦାଲତରେ ଦାଖଲ କରିବାକୁ କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ କର୍ଣ୍ଣାଟକ ସରକାରଙ୍କ ପୀଠ ନିର୍ଦେଶ ଦେଇଛନ୍ତି।
ମୁଲାପେରିୟାର ଡ୍ୟାମ୍‍ରୁ ହଠାତ୍‍ ଜଳ ନିଷ୍କାସନ କେରଳରେ ପ୍ରଳୟଙ୍କରୀ ବନ୍ୟାର ଅନ୍ୟତମ ପ୍ରମୁଖ କାରଣ ବୋଲି ଗୁରୁବାର ଶୁଣାଣି ବେଳେ କେରଳ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ। ୩.୪୮ କୋଟି କେରଳବାସୀଙ୍କ ମଧ୍ୟରୁ ୫୪ଲକ୍ଷ ସିଧାସଳଖ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ। ମାତ୍ର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାଇନାସାମୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, କେରଳରେ ବନ୍ୟା ହେବାର ଏକ ସପ୍ତାହ ପରେ ମୁଲାପେରିୟାର ଡ୍ୟାମ୍‍ରୁ ଜଳ ନିଷ୍କାସନ କରାଯାଇଥିଲା। ବନ୍ୟା ପରେପରେ ତୁରନ୍ତ ଡ୍ୟାମ୍‍ ଜଳ ଛଡାଯାଇ ନ ଥିଲା। ବରଂ ଏଥିନେଇ ଡ୍ୟାମ୍‍ ଜଳସ୍ତର ୧୩୯, ୧୪୧ ଏବଂ ୧୪୨ ଫୁଟ୍‍ ଥିବା ବେଳେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସତର୍କ ସୂଚନା ଜାରି କରାଯାଇଥିଲା।
ଉଲ୍ଲେଖ ଯେ, କେରଳରେ ଭୟଙ୍କର ବନ୍ୟା ସୃଷ୍ଟି ହେବାରୁ ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ମୁଲାପେରିୟାର ଡ୍ୟାମ୍‍ ଜଳସ୍ତର ୧୪୨ ଫୁଟ୍‍ ପରିବର୍ତ୍ତେ ୧୩୯ ଫୁଟ୍‍ରେ ସୀମିତ ରଖିବାକୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‍ ତାମିଲନାଡୁ ପ୍ରତିପକ୍ଷ ଇ.କେ. ପାଲାନିସ୍ୱାମୀଙ୍କୁ ପୂର୍ବରୁ ଏକ ଚିଠି ଲେଖିଥିଲେ। ଜଳଭଣ୍ଡାର ମଧ୍ୟକୁ ୨୦,୦୦୦ କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବାରୁ ଏହାର ଜଳସ୍ତର ହ୍ରାସ କରିବା ସମ୍ଭବ ନୁହେଁ ବୋଲି ଦର୍ଶାଇ ପାଲାନିସ୍ୱାମୀ ଉକ୍ତ ନିବେଦକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପରେ ଏ ନେଇ ନିବାସୀ ରସେଲ୍‍ ରାଏ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମୁଲାପେରିୟାର ଜଳସ୍ତର ଜରୁରୀକାଳୀନ ଭିତ୍ତିରେ ହ୍ରାସ କରିବା ଦିଗରେ ତୁରନ୍ତ ନିଷ୍ପତ୍ତି ନେବାକୁ ଡ୍ୟାମ୍‍ର ବିପର୍ଯ୍ୟୟ ପରିଚାଳନା କମିଟିକୁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଳୟଙ୍କର ବନ୍ୟା ଯୋଗୁ କେରଳରେ ୩୭୩ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ସର୍ବହରା ହୋଇପଡିଛନ୍ତି।

Leave A Reply