ଜିଓ‌ରେ ୯୦୯୩ କୋଟି ଟଙ୍କା ନିବେଶ କରିବ ଆବୁଧାବିର ମୁବାଦଲା

ସମାଜ ପୋର୍ଟାଲ ଡେସ୍କ: ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ଜିଓ ପ୍ଲାଟଫର୍ମସ୍‌ରେ ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଟଂରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ଅନୁସାରେ ମୁବାଦଲାର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୧.୮୫ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ।

ଏହି ନିବେଶ ସହିତ ଛଅ ସପ୍ତାହରୁ କମ୍ ସମୟ ଭିତରେ ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଂଟାଲଟିକ୍‌, କେକେଆର୍ ଓ ମୁବାଦଲା ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଅଭିବୃଦ୍ଧି ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଦେଶରେ ପରିଣତ ହେବା ଲାଗି ଭାରତର ଡିଜିଟାଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଆମର ଯେଉଁ ଯାତ୍ରା ରହିଛି ସେଥିରେ ସହଯୋଗୀ ହେବା ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଅଭୂତପୂର୍ବ ପରିବର୍ତ୍ତନକାରୀ ବିଶ୍ୱସ୍ତରୀୟ ଅଭିବୃଦ୍ଧି ନିବେଶକ ମୁବାଦଲା ନିଷ୍ପତି ନେଇଥିବାରୁ ଆମେ ବେଶ୍ ଉଲ୍ଲସିତ।

Comments are closed.