‘ମୁଁ ବି ନମିତା ଅଗ୍ରୱାଲା ହେବି’ ଚୂଡ଼ାନ୍ତ ମୁକାବିଲା

ଭୁବନେଶ୍ବର : ସୁପ୍ରସିଦ୍ଧ ଗାୟିକା ‘ନମିତା ଅଗ୍ରୱାଲଙ୍କ’ ଭଜନ ଆଧାରରେ ଅନୁଷ୍ଠିତ ‘ସିଦ୍ଧାର୍ଥ ଟିଭି’ର ନିଆରା ରିଅଲିଟି ଶୋ’ ‘ମୁଁ ବି ନମିତା ଅଗ୍ରୱାଲ ହେବି’ର ଗ୍ରାଣ୍ଡ ଫାଇନାଲ ସରିଯାଇଛି ଏବଂ ସିଜିନ ୱାନର ବିଜୟିନୀ ଘୋଷିତ ହୋଇଛନ୍ତି। ବାଲେଶ୍ବରର ସୌମ୍ୟଶ୍ରୀ ଆଚାର୍ଯ୍ୟ ବିଜୟିନୀ ମୁକୁଟ ପିନ୍ଧି ଥିଲା ବେଳେ ମୟୂରଭଞ୍ଜର ଉପାସନା ସାହୁ ପ୍ରଥମ ରନର୍ସ ଅପ୍‌ ଏବଂ ପୁରୀର ଦେବସ୍ମିତା ଆର୍ଯ୍ୟ ସେକେଣ୍ଡ ରନର୍ସ ଅପ୍‌ ହେଇଛନ୍ତି ।
ଓଡ଼ିଶାରେ ଭଜନର ପରମ୍ପରାକୁ ଆଗେଇ ​‌େ​‌ନବା ପାଇଁ ଏବଂ ନୂଆ ପିଢ଼ିକୁ ଆମ ସୁଦୃଢ଼ ପରମ୍ପରା ସହ ପରିଚିତ କରାଇବା ସେମାନଙ୍କୁ ଭବିଷ୍ୟତରେ ଶିଳ୍ପୀ ରୂପେ ଗଢ଼ିବା ପାଇଁ ସିଦ୍ଧାର୍ଥ ଟିଭି ଏଭଳି ଏକ ନିଆରା ରିଅଲିଟି ଶୋ’ ର ପରିକଳ୍ପନା କରିଥିଲା। ସିଦ୍ଧାର୍ଥ ଟିଭିର ଏମ୍‌.ଡି ସୀତାରାମ ଅଗ୍ରୱାଲଙ୍କ ଏଭଳି ପରିକଳ୍ପନାକୁ ଓଡ଼ିଶାବାସୀ ଭରପୂର ସମର୍ଥନ ଦେଇଥିଲେ। ବିଚାରକ ଭାବେ ପ୍ରଖ୍ୟାତ ଶିଳ୍ପୀ ମନ୍ମଥ ମିଶ୍ର , ଗୀତା ଦାଶ, ଶାନ୍ତିଲତା ବାରିକ ଛୋଟରାୟ ଏବଂ ଅଭିନେତା-ଗୀତିକାର ଶ୍ରୀକାନ୍ତ ଗୌତମ ପ୍ରତିଯୋଗୀଙ୍କ ଉଚିତ ମୂଲ୍ୟାଙ୍କନ କରିବା ସହ ସେମାନଙ୍କୁ ନିୟମିତ ପ୍ରୋତ୍ସାହିତ କରିଥିଲେ। ଗାଲା ରାଉଣ୍ଡରେ ବିଶେଷ ଅତିଥି ବିଚାରକ ଭାବେ ଜଣାଶୁଣା ସଙ୍ଗୀତ ଶିଳ୍ପୀ ଏବଂ ଗୀତିକାର- ଯଥା ସୁବାସ ଦାଶ, ବିପିନ ବାରିକ, ରାଧାକାନ୍ତ ଦାସ, ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ଦୀପ୍ତିରେଖା ପାଢ଼ୀ, ପ୍ରଜ୍ଞା ହୋତା , ବୈଦ୍ୟନାଥ ଦାଶ, ବିଜୁ ସ୍ବାଇଁ, ଅର୍ପିତା ଚୌଧୁରୀ, ମାନସୀ ପାତ୍ର , ବିକାଶ ଦାଶ, ଲୋପାମୁଦ୍ରା ଦାଶ ଏବଂ ବିଜୟ ମଲ୍ଲ ପ୍ରମୁଖ ଉପସ୍ଥିତି ରହି ଏଭଳି ଏକ ଶୋ’ ର ପରିକଳ୍ପନାକୁ ଭୂୟସୀ ପ୍ରଶସା କରିବା ସହ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ମଧ୍ୟରୁ ଅର୍ପିତା, ମାନସୀ ଲୋପାମୁଦ୍ରା, ପ୍ରଜ୍ଞା, ଦୀପ୍ତିରେଖା ପ୍ରମୁଖ ସେମାନଙ୍କ ଆଦର୍ଶ ନମିତା ଅଗ୍ରୱାଲଙ୍କ ଭଜନ ପରିବେଷଣ କରିଥିଲେ।

ଗ୍ରାଣ୍ଡ ଫାଇନାଲରେ ନମିତା ଅଗ୍ରୱାଲଙ୍କ ପ୍ରାଥମିକ ସଙ୍ଗୀତ ଗୁରୁ ଅଖିଳ କୁମାର ଲେଙ୍କାଙ୍କୁ ମାନପତ୍ର, ଉପାୟନ ଓ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୁତ କରାଯାଇଥିଲା।

Comments are closed.