ସେନା କର୍ମଚାରୀଙ୍କ ଏମଏସ୍‍ପି ବୃଦ୍ଧି ଦାବି ଅଗ୍ରାହ୍ୟ

0

ନୂଆଦିଲ୍ଲୀ : ମିଲିଟାରୀ ସର୍ଭିସ ପେ (ଏମ୍‍ଏସପି) ବୃଦ୍ଧି କରିବାକୁ ସେନାର ଜୁନିୟର କମିସନଡ୍‍ ଅଫିସର (ଜେସିଓ)ମାନେ କରିଆସୁଥିବା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ସେନାର ଏହି କର୍ମଚାରୀଙ୍କ ବର୍ଦ୍ଧିତ ଏମଏସପି ଦାବିକୁ ଅଗ୍ରାହ୍ୟ କରିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧ଲକ୍ଷ ସେନା କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ସ୍ଥଳସେନାର ୮୭,୬୪୬ ଜଣ ଜେସିଓ ଏବଂ ନୌସେନା ଓ ବାୟୁସେନାର ଅନୁରୂପ ପାହ୍ୟାର ୨୫, ୪୩୪ କର୍ମଚାରୀ ସରକାରଙ୍କ ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମୀକ୍ଷା ଲାଗି ସେନା ପୁନର୍ବାର ଆବେଦନ କରିବ ବୋଲି ଜଣାଯାଇଛି। ସେନା କର୍ମଚାରୀଙ୍କ ଚାକିରିର ଅବସ୍ଥିତି ଆଧାରରେ ଏମଏସପି ଧାର୍ଯ୍ୟ କରାଯାଇଥାଏ। ଯେପରିକି ଜାମ୍ମୁ-କାଶ୍ମୀର ସୀମାନ୍ତ ଓ ସିଆଚେନ ଗ୍ଲାସିୟରରେ ମୁତୟନ କର୍ମଚାରୀଙ୍କୁ ଅଧିକ ଏମଏସପି ଦିଆଯାଇଥାଏ। ଏହି ଏମଏସପି ଦୁଇ ପ୍ରକାରର। ସେନା ଅଫିସରଙ୍କ ପାଇଁ ଗୋଟିଏ ପ୍ରକାର ଏମଏସପି ଧାର୍ଯ୍ୟ ହୋଇଥିବାବେଳେ ଜେସିଓ ଓ ଯବାନଙ୍କ ପାଇଁ ଆଉ ଗୋଟିଏ ପ୍ରକାର ଏମଏସପି ଧାର୍ଯ୍ୟ ହୋଇଥାଏ। ବର୍ତ୍ତମାନ ସମୟରେ ମାସିକ ସର୍ବନିମ୍ନ ଏମଏସପି ୫୫୦୦ଟଙ୍କା ଥିବାବେଳେ ଏହାକୁ ୧୦ହଜାର ଟଙ୍କାକୁ ବୃଦ୍ଧି ଲାଗି ଦାବି କରାଯାଇଥିଲା। ଏହି ଏମଏସପି ବୃଦ୍ଧି ଦ୍ୱାରା ସରକାରଙ୍କୁ ବାର୍ଷିକ ୬୧୦କୋଟି ଟଙ୍କା ଅତିରିକ୍ତ ବ୍ୟୟ ବହନ କରିବାକୁ ହେବ। ସପ୍ତମ ବେତନ କମିଶନ ଜେସିଓ ଓ ଯବାନଙ୍କ ପାଇଁ ମାସିକ ଏମଏସପି ୫୨୦୦ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଲେଫ୍ଟନାଣ୍ଟରୁ ବ୍ରିଗେଡିୟର ପାହ୍ୟା ଅଫିସରଙ୍କ ପାଇଁ ମାସିକ ଏମଏସପି ୧୫,୫୦୦ଟଙ୍କା ଧାର୍ଯ୍ୟ କରିଛନ୍ତି। ଜେସିଓମାନେ ଗେଜେଟେଡ ଅଫିସର (ଗ୍ରୁପ୍‍ ବି) ହୋଇଥିବାରୁ ସେମାନଙ୍କ ଏମଏସପି ବୃଦ୍ଧି କରିବାକୁ ଦାବି କରାଯାଇଥିଲା। ବର୍ତ୍ତମାନ ସମୟରେ ଜେସିଓମାନଙ୍କୁ ଯବାନଙ୍କ ହାରରେ ଏମଏସପି ଦିଆଯାଉଛି। ଯାହା ସେମାନଙ୍କ ପାଇଁ ଅନ୍ୟାୟ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି।

Leave A Reply