କୃଷକଙ୍କୁ ମୋଦୀ ସରକାରଙ୍କର ଦୀପାବଳି ଭେଟି : ବଢିଲା ବିଭିନ୍ନ ଫସଲର ଏମଏସପି

ଗହମର ଏମଏସପି ୮୫ ଟଙ୍କା ଓ ଡାଲିର ଏମଏସପି ୩୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଦୀପାବଳି ପୂର୍ବରୁ କୃଷକମାନଙ୍କୁ ଏକ ବଡ଼ ଉପହାର ସ୍ୱରୂପ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)  ବୃଦ୍ଧି କରିଛନ୍ତି । ବୁଧବାର ଅନୁଷ୍ଠିତ କେନ୍ଦ୍ରମନ୍ତ୍ରୀମଣ୍ଡଳ ବୈଠକରେ ରବିଋତୁ ପାଇଁ ଗହମର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ସରକାର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ୩୨୫ ଟଙ୍କା ବୃଦ୍ଧି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ବିଷୟରେ ନିଷ୍ପତ୍ତି ନିଆଯାଇଛି। ରବି ଫସଲର ମୂଲ୍ୟ ବୃଦ୍ଧି ନେଇ କୃଷି ବିନିଯୋଗ ଏବଂ ମୂଲ୍ୟ ଆୟୋଗ ସୁପାରିସ କରିଥିଲେ।

ରବି ବିପଣନ ବର୍ଷ ୨୦୨୦-୨୧ ପାଇଁ ସର୍ବନିମ୍ନ ସହାୟକ

 

କ୍ରମିକ ନଂ.   ଫସଲ ଉତ୍ପାଦନ ପାଇଁ   ବ୍ୟୟ ଆରଏମଏସ ୨୦୨୦-୨୧ ଆରଏମଏସ ୨୦୧୯-୨୦   ପାଇଁ ଏମଏସପି ଆରଏମଏସ ୨୦୨୦-୨୨ ପାଇଁ ଏମଏସପି ଏମଏସପିରେ ବୃଦ୍ଧି ବ୍ୟୟ ତୁଳନାରେ ମୂଲ୍ୟ (ପ୍ରତିଶତ)
     ୧.    ଗହମ   ୯୨୩  ୧୮୪୦  ୧୯୨୫    ୮୫  ୧୦୯
     ୨.    ଯଅ   ୯୧୯  ୧୪୪୦  ୧୫୨୫   ୮୫  ୬୬
     ୩.   ଚଣା  ୨୮୦୧  ୪୬୨୦  ୪୮୭୫  ୨୫୫  ୭୪
     ୪.   ମସୁର  ୨୭୨୭  ୪୪୭୫  ୪୮୦୦   ୩୨୫  ୭୬
     ୫.   ସୋରିଷ  ୨୩୨୩  ୪୨୦୦  ୪୪୨୫  ୨୨୫  ୯୦
     ୬.   କୁସୁମ  ୩୪୭୦  ୪୯୪୫  ୫୨୧୫  ୨୭୦  ୫୦

 

ବୈଠକର ନିଷ୍ପତ୍ତି ଅନୁସାରେ ଗହମର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇ ୧୯୨୫ଟଙ୍କା ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହି ଦର ୧୮୪୦ ଟଙ୍କା ଥିଲା । ଯଅର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇ ୧୫୨୫ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ମସୁର ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ୩୨୫ ଟଙ୍କା ବୃଦ୍ଧି କରାଯାଇ ୪୪୭୫ଟଙ୍କା କରାଯାଇଛି। ଚଣାର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୫ ଟଙ୍କା, ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୫ ଟଙ୍କା ଓ କୁସୁମର ସର୍ବନିମ୍ନ ସହାୟକ ମୂଲ୍ୟ ୨୭୦ ଟଙ୍କା  ବୃଦ୍ଧି କରାଯାଇଛି। ୨୦୧୯-୨୦ ରବି ଫସଲ ଅମଳ ଋତୁରେ ଏହା ଲାଗୁ ହେବ।

Comments are closed.