ଭାରତରେ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ବିଶ୍ୱ ତୁଳନାରେ ଅଧିକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିଜାତ ସାମଗ୍ରୀ ପାଇଁ ଧାର୍ଯ୍ୟ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସମୁଦାୟ ବିଶ୍ୱରେ ସର୍ବାଧିକ। ଦେଶରେ ଏକ ଅର୍ଥନୈତିକ ସଙ୍କଟ ସୃଷ୍ଟିହେବା ପୂର୍ବରୁ ଏଥିପାଇଁ ବିକଳ୍ପ ସମାଧାନ ପନ୍ଥା ନିରୂପଣ କରିବାକୁ ହେବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି। ସେ କହିଛନ୍ତି ଯେ ସରକାର ଚାଷୀଙ୍କ ନିକଟରୁ ଧାନ, ଗହମ ଭଳି ଶସ୍ୟ କ୍ରୟ ନିମନ୍ତେ ଏମଏସପି ନିର୍ଦ୍ଧାରଣ କରୁଥିବାବେଳେ ଚିନି ରପ୍ତାନି ପାଇଁ ମଧ୍ୟ ସବ୍‍ସିଡି ପ୍ରଦାନ କରୁଛନ୍ତି। ତେବେ ଆନ୍ତର୍ଜାତିକ ବଜାରରେ କୃଷିଜାତ ସାମଗ୍ରୀର ମୂଲ୍ୟ, ବଜାର ଦର ଏବଂ ଏମଏସପି ମଧ୍ୟରେ ବିପୁଳ ତାରତମ୍ୟ ରହୁଛି। ଏହାକୁ ନେଇ ଏବେ ଜଟିଳ ସମସ୍ୟା ଦେଖାଦେଉଛି ଏବଂ ସେଭଳି ପରିସ୍ଥିତିରେ ସରକାର କୌଣସି ନିଷ୍ପତ୍ତି ନେବା କଷ୍ଟକର ହୋଇଯାଉଛି। ବାସ୍ତବ କଥା ହେଉଛି ଭାରତରେ ଏମଏସପି ବଜାର ଦର ଏବଂ ଆନ୍ତର୍ଜାତିକ ମୂଲ୍ୟତୁଳନାରେ ଅଧିକ ରହୁଛି। ଏହା ଦେଶରେ ବଡ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବାକୁ ଯାଉଛି। ସେଥିପାଇଁ କିଛି ବିକଳ୍ପ ସମାଧାନ କରିବାକୁ ହେବ। କୃଷି ସଂପର୍କିତ ପ୍ରସଙ୍ଗର ସମାଧାନ ନକରି ଅର୍ଥନୀତିକୁ ଆଗକୁ ବଢାଇ ହେବନାହିଁ।
ଏକ ୱେବିନାର୍‍ରେ ଉଦ୍‍ବୋଧନ ଦେଇ ସେ କହିଥିଲେ, ଦେଶରେ ବଳକା ଚାଉଳ, ଗହମ ରହିଛି। ସେସବୁ ମହଜୁଦ ରଖିବାକୁ ଆଉ ଗୋଦାମ ନାହିଁ। ସରକାର ଚିନି ରପ୍ତାନି ପାଇଁ ୬ହଜାର କୋଟି ଟଙ୍କାର ସବ୍‍ସିଡି ମଧ୍ୟ ଯୋଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଚାଉଳକୁ ଉପଯୋଗ କରି ଇଥାନଲ କିମ୍ବା ବାୟୋ ଇଥାନଲ୍‍ ପ୍ରସ୍ତୁତି କରିବାକୁ ଏକ ନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ସମ୍ପ୍ରତି ଦେଶ ବର୍ଷକୁ ୬ରୁ ୭ଲକ୍ଷ କୋଟି ଟଙ୍କା ଇଥାନଲ୍‍ ଆମଦାନୀ କରୁଛି। ସେଥିପାଇଁ ଦେଶରେ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାର ଇଥାନଲ୍‍ ପ୍ରସ୍ତୁତି ନିମନ୍ତେ ଯୋଜନା କରାଯାଉଛି। ଦେଶରେ ବନ୍ଦ ହୋଇଯାଇଥିବା ୨୦୦ ଚିନିକଳକୁ ବାୟୋ ଇଥାନଲ୍‍ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇପାରିବ ବୋଲି ସେ କହିଥିଲେ। ତାହାସହିତ ଦେଶରେ ଶସ୍ୟର କିମସ ବଦଳାଇ ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶର କେତେକ ଭାଗରେ ଗହମ ଓ ଧାନ ଚାଷ ଅଞ୍ଚଳ ହ୍ରାସ କରିବାକୁ ପଡିବ ବୋଲି ସେ କହିଛନ୍ତି। ସୋୟାବିନ୍‍, ତୈଳବୀଜ ଭଳି କୃଷିଜାତ ସାମଗ୍ରୀ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଥିବା ସେ ଉଲ୍ଲେଖ କରିଛନ୍ତି।

Comments are closed.