ଏମଏସଏମଇ ଜରିଆରେ ସୃଷ୍ଟି ହେବ ୫ କୋଟି ଚାକିରି – ଗଡ଼କରୀ

ସମାଜ ପୋର୍ଟାଲ ଡେସ୍କ: ଆତ୍ମନିର୍ଭର ଭାରତ ଯୋଜନାରେ କେନ୍ଦ୍ର ସରକାର ଏମଏସଏମଇ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିବା ପରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ନୂଆ ଆର୍ଥିକ ଋଣ ଲଗାଣ ସଂସ୍ଥା ସନ୍ଧାନ  କରୁଥିବା କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। ସେ କହିଛନ୍ତି ଯେ ସରକାର ଏନବିଏଫସିଗୁଡ଼ିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି କରୁଛନ୍ତି ଯାହା ଫଳରେ ଆଗାମୀ ଦିନରେ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ସହଜରେ ଋଣ ପ୍ରଦାନ କରାଯାଇ ପାରିବ।
ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏମଏସଏମଇଗୁଡ଼ିକ ଉପରେ କୋଭିଡ-୧୯ର ପ୍ରଭାବ ଏବଂ ତାହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ କୋଲକାତା ଚାମ୍ବର ଅଫ କମର୍ସର ସଦସ୍ୟମାନଙ୍କ ସହିତ ଗଡ଼କରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ କୋଭିଡ-୧୯ ମହାମାରୀ ଏବଂ ଏଥିଯୋଗୁ ଦେଖାଦେଇଥିବା ଆର୍ଥିକ ଅସ୍ଥିରତା ବିରୋଧରେ ମୁକାବିଲା କରିବା ଲାଗି ଏହା ହେଉଛି ସମୟ। ସେ ସମସ୍ତ ଅଂଶୀଦାରମାନଙ୍କୁ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିବା ସହିତ ଏହି ସଙ୍କଟପୂର୍ଣ୍ଣ ସମୟରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ।
ଏହି ଅବସରରେ ମାସ୍କ, ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା ଉପରେ ଗଡ଼କରୀ ଗୁରୁତ୍ବାରୋପ କରିଥିଲେ। ସେ ସୂଚନା ଦେଇଥିଲେ ଯେ ୨୦୨୦ ମାର୍ଚ୍ଚ ସୁଦ୍ଧା ୬ ଲକ୍ଷ ଏମଏସଏମଇର ପୁନର୍ଗଠନ ହୋଇସାରିଛି ଏବଂ ୨୦୨୦ ଡିସେମ୍ବର ସୁଦ୍ଧା ୨୫ ଲକ୍ଷ ଅତିରିକ୍ତ ଏମଏସଏମଇକୁ ଏଥିରେ ସାମିଲ କରିବା ଲାଗି ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ସେ କହିଥିଲେ, ବର୍ତ୍ତମାନ ରପ୍ତାନିରେ ଏମଏସଏମଇଗୁଡ଼ିକର ଯୋଗଦାନ ୪୮% ଥିବା ବେଳେ ଏହା ୬୦% ପର୍ୟ୍ୟନ୍ତ ବୃଦ୍ଧି ପାଇପାରିବ। ବର୍ତ୍ତମାନ ଏମଏସଏମଇ ଜରିଆରେ ୧୧ କୋଟି ଚାକିରି ସୃଷ୍ଟି ହୋଇଥିବା ବେଳେ ଏଥିରେ ଆହୁରି ୫ କୋଟି ଚାକିରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Comments are closed.