ଧୋନି ୨୦୨୨ ଆଇପିଏଲ୍‍ ମଧ୍ୟ ଖେଳିବେ: ସିଏସ୍‍କେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚଳିତବର୍ଷ ଆଇପିଏଲ୍‍ରେ ୩ ଥରର ଚମ୍ପିଆନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। କେବଳ ଚଳିତବର୍ଷ ନୁହେଁ; ୨୦୨୧ ଓ ୨୦୨୨ରେ ମଧ୍ୟ ଧୋନି ସିଏସ୍‍କେ ପାଇଁ ଆଇପିଏଲ୍‍ ଖେଳିବେ ବୋଲି କହିଛନ୍ତି ସିଏସ୍‍କେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କାଶୀ ବିଶ୍ୱନାଥନ୍‍। ନିକଟରେ ୩୯ତମ ଜନ୍ମଦିବସ ପାଳନ କରିଥିବା ଧୋନି ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା କୌଣସି ପ୍ରକାର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିନାହାନ୍ତି। ଗତବର୍ଷ ଜୁଲାଇରେ ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ୱକପ୍‍ ସେମିଫାଇନାଲ ଧୋନିଙ୍କର ଅନ୍ତିମ ଆନ୍ତର୍ଜାତିକ କ୍ରିକେଟ୍‍ ମ୍ୟାଚ୍‍ ଥିଲା। ଏହାପରେ ଭାରତ ଏକାଧିକ ଆନ୍ତର୍ଜାତିକ ଦ୍ୱିପାକ୍ଷିକ ସିରିଜ୍‍ ଖେଳିଥିବା ବେଳେ କିଛି ସିରିଜ୍‍ରୁ ଧୋନି ନିଜେ ଓହରି ଯାଇଥିବା ବେଳେ ଧୋନିଙ୍କୁ କିଛି ସିରିଜ୍‍ ଲାଗି ଭାରତୀୟ ଦଳରେ ସ୍ଥାନ ଦେଇନଥିଲେ ଜାତୀୟ ମନୋନୟନକାରୀ।
ଏକ ଭାରତୀୟ ଗଣମାଧ୍ୟମକୁ ସିଏସ୍‍କେର ସିଇଓ କାଶୀ ବିଶ୍ୱନାଥନ୍‍ କହିଛନ୍ତି, ଆମେ ଜାଣିଛୁ ଯେ ଧୋନି ୨୦୨୦ ଆଇପିଏଲ୍‍ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଓ ୨୦୨୨ ସଂସ୍କରଣ ମଧ୍ୟ ଖେଳିବେ ବୋଲି ଆମେ ଆଶାରଖିଛୁ। ଗଣମାଧ୍ୟମକୁ ଜାଣିବାକୁ ପାଇଲି ଯେ ଝାଡ଼ଖଣ୍ଡରେ ଇନ୍‍ଡୋର ହଲ୍‍ରେ ମହେନ୍ଦ୍ର ସିଂହ ଧୋନି ଅଭ୍ୟାସ କରୁଛନ୍ତି। ଆମକୁ ଧୋନିଙ୍କୁ ନେଇ କୌଣସି ଚିନ୍ତା କରିବାର କୌଣସି କାରଣ ନାହିଁ କି ତାଙ୍କୁ ନେଇ ଆମେ କୌଣସି ଚିନ୍ତାକରୁଛୁ। ଧୋନି ତାଙ୍କ ଦାୟିତ୍ୱ ବିଷୟରେ ଭଲଭାବେ ଅବଗତ ଏବଂ ଆମେ ଧୋନି ଓ ଦଳ କଥା ବୁଝିବୁ। ପୂର୍ବରୁ ଇଣ୍ଡିଆ ସିମେଣ୍ଟ୍‍ସର ପରିଚାଳନା ନିର୍ଦେଶକ ତଥା ସିଏସ୍‍କେର ମାଲିକ ଏନ୍‍. ଶ୍ରୀନିବାସନ୍‍ କହିଥିଲେ ଯେ ୨୦୨୧ରେ ହେବାକୁ ଥିବା ଆଇପିଏଲ୍‍ ମେଗା ନିଲାମ ପୂର୍ବରୁ ଧୋନିଙ୍କୁ ସିଏସ୍‍କେ ନିଶ୍ଚୟ ଦଳରେ ରଖିବ। ୨୦୧୯ ବିଶ୍ୱକପ୍‍ ପରେ ବିସିସିଆଇ ତା’ର କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଥିବା ବେଳେ ଏଥିରେ ଧୋନିଙ୍କର ନାମ ନଥିଲା। ତେଣୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା ଯେ ଧୋନିଙ୍କ ଆନ୍ତର୍ଜାତିକ କ୍ରିକେଟ୍‍ ଜୀବନର ଅନ୍ତଃ ଘଟିଛି। ହେଲେ ଏହାକୁ ନେଇ ନିଜେ ଧୋନି ଚୁପ୍‍ ରହିଛନ୍ତି।

Comments are closed.