ଧୋନି ଗ୍ଲୋଭ୍‌ସରୁ ବଳିଦାନ ବ୍ୟାଜ୍ କାଢ଼ିଲେ

ଲଣ୍ଡନ୍ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ନିର୍ଦେଶ ପରେ ମହେନ୍ଦ୍ର ସିଂହ ଧୋନି ତାଙ୍କ ୱିକେଟ ରକ୍ଷଣ ଗ୍ଲୋଭ୍‌ସରୁ ‘ବଳିଦାନ ବ୍ୟାଜ୍‌’ କାଢ଼ିବାକୁ ବାଧ୍ୟ ହୋଇଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିଥିବା ବେଳେ ଧୋନିଙ୍କ ୱିକେଟ ରକ୍ଷଣ ଗ୍ଲୋଭ୍‌ସରେ ‘ବଳିଦାନ ବ୍ୟାଜ୍‌’ ନଥିଲା। ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଧୋନିଙ୍କ ଗ୍ଲୋଭ୍‌ସରେ ବଳିଦାନ ବ୍ୟାଜ୍ ଥିବାରୁ ଗଣମାଧ୍ୟମରେ ଆଲୋଚନା ହୋଇଥିଲା। ଧୋନି ତାଙ୍କ ଗ୍ଲୋଭ୍‌ସରେ ‘ବଳିଦାନ ବ୍ୟାଜ୍‌’ ଲଗାଇ ବିଶ୍ବକପ୍ ଖେଳିବାର ଅନୁମତି ଦେବା ପାଇଁ ଶୁକ୍ରବାର ଆଇସିସିକୁ ବିସିସିଆଇ ଅନୁରୋଧ କରିଥିଲା। ତେବେ ଶୁକ୍ରବାର ଏହି ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରି ଦେଇଥିଲା। ଫଳରେ ଏହି ପ୍ରତୀକକୁ ଧୋନି ଗ୍ଲୋଭ୍‌ସରୁ କାଢ଼ିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ; ୨୦୧୧ରେ ଧୋନିଙ୍କୁ ପ୍ରାଦେଶିକ ସେନା ଲେଫ୍‌ଟନାଣ୍ଟ କ‌େ‌ର୍ଣ୍ଣଲ ଉପାଧି ପ୍ରଦାନ କରିଥିଲା। ଏହାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଧୋନି ତାଙ୍କ ଗ୍ଲୋଭ୍‌ସରେ ଉକ୍ତ ପ୍ରତୀକ ଲଗାଇଥିଲେ। କୌଣସି କ୍ରିକେଟରଙ୍କ ୱିକେଟ ରକ୍ଷଣ ଗ୍ଲୋଭ୍‌ସରେ ଏହାର ନିର୍ମାତାର ଲୋଗୋକୁ ଛାଡ଼ି ଆଉ କାହାର ଲୋଗୋ ରହିବ ନାହିଁ ବୋଲି ଆଇସିସି ଘୋଷଣା କରିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର କ୍ରିସ୍ ଗେଲ୍‌ ତାଙ୍କ ବ୍ୟାଟ୍‌ରେ ‘ୟୁନିଭର୍ସାଲ ବସ୍‌’ ଲୋଗୋ ଲଗାଇବାର ଅନୁମତି ମାଗିଥିଲେ। ତେବେ ଏହାକୁ ମଧ୍ୟ ଆଇସିସି ମନା କରିଦେଇଛି।

Comments are closed.