ଧୋନିଙ୍କ ଝିଅ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜଣେ ଗିରଫ

ଅହମ୍ମଦବାଦ୍ : ଆଇପିଏଲ୍‌ର ଅନ୍ୟତମ ଦଳ ଚେନ୍ନଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂହ ​‌େ​‌ଧାନିଙ୍କ ଝିଅ ଜିଭା ପ୍ରତି ଅରୁଚିକର ମନ୍ତବ୍ୟ ପ୍ରଦାନ ଅଭିଯୋଗରେ ଗୁଜୁରାଟ ପୁଲିସ ଜଣେ ୧୬ ବର୍ଷ ନାବାଳକକୁ ଗିରଫ କରିଛି। ୟୁଏଇରେ ଖେଳାଯାଉଥିବା ଆଇପିଏଲ୍‌ରେ କିଛିଦିନ ତଳେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳର ମୁକାବିଲା କଲକାତା ନାଇଟ୍‌ ରାଇଡର୍ସ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନଇ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଝିଅ ଜିଭାଙ୍କ ପ୍ରତି କେତେକ ଅରୁଚିକର ମନ୍ତବ୍ୟ ଦିଆଯାଇଥିଲା। ଏ ସଂପର୍କରେ ରାଞ୍ଚି ପୁଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଅରୁଚିକର ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଗୁଜୁରାଟର ମୁନ୍ଦ୍ରାରେ ରହିଥିବା ଜଣାପଡ଼ିବା ପରେ ରାଞ୍ଚି ପୁଲିସ ତରଫରୁ ଗୁଜୁରାଟ ପୁଲିସକୁ ଖବର ଦିଆଯାଇଥିଲା। ଗୁଜୁରାଟ ପୁଲିସ ତରଫରୁ ଘଟଣାର ତଦନ୍ତ କରାଯାଇ ଜଣେ ୧୬ ବର୍ଷୀୟ ନାବାଳକକୁ ଗିରଫ କରାଯାଇଛି। ମାମଲା ରାଞ୍ଚି ପୁଲିସ ନିକଟରେ ଲିପିବଦ୍ଧ ହୋଇଥିବାରୁ ଖୁବ୍‌ଶୀଘ୍ର ରାଞ୍ଚି ପୁଲିସ ଆସି ଅଭିଯୁକ୍ତକୁ ନିଜ ହେପାଜତକୁ ନେବ ବୋଲି କଚ୍ଛ ଏସ୍‌ପି ସୌରଭ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.