ମୃଣାଳ ସେନଙ୍କ ପରଲୋକ

0

କୋଲକାତା: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ମୃଣାଳ ସେନଙ୍କ ରବିବାର ପରଲୋକ ହୋଇଛି । କୋଲକାତାର ଭବାନୀପୁରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ୧୯୨୩ ମସିହା ମେ ୧୪ ତାରିଖରେ ଅବିଭକ୍ତ ବଙ୍ଗଳାର ଫରୀଦପୁର କସ୍ବେରେ ସେ ଜନ୍ମ ଗ୍ରହଣ କରିଥିଲେ । ଚଳଚ୍ଚିତ୍ର ପୂର୍ବରୁ ସେ ସାହତ୍ୟ ପ୍ରେମୀ ଥିଲେ । ‘ନୀଲ ଆକାଶେର ନୀଚେ’, ‘ଭୁବନ ଶୋମ’, ‘ଏକ୍ ଦିନ୍ ଅଚାନକ୍’, ‘ପଦାତିକ’ ଏବଂ ‘ମୃଗୟା’ ଆଦି ଚଳଚ୍ଚିତ୍ର ନିର୍ମାଣ କରି ସମନ୍ତରାଳ ଚଳଚ୍ଚିତ୍ର ଜଗତରେ ସେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଭାରତୀୟ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ପାଇଁ ମୃଣାଳ ସେନଙ୍କୁ ‘ଦଦା ସାହେବ ଫାଲେକ୍’ ପୁରସ୍କାରରେ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ଭୂଷିତ କରାଯାଇଥିଲା । ଓଡିଆ ଚଳଚ୍ଚିତ୍ର ‘ମାଟିର ମଣିଷ’ର ସେ ନିର୍ଦେଶନା ଦେଇଥିଲେ।

ସେ ୧୨ଟି ଅନ୍ତର୍ଜାତୀୟ ପୁରସ୍କାର ପାଇବା ସହ ଭାରତୀୟ ପିପୁଲସ୍ ଥିଏଟର ସଂଘର ସଦସ୍ୟ ଥିଲେ । ୧୯୫୫ ମସିହାରେ ‘ରାତଭୋରେ’ ଚଳଚ୍ଚିତ୍ରରୁ ସେ ନିଜର ନିର୍ଦେଶକ ଜୀବନ ଆରମ୍ଭ କରିଥିଲେ । ମୃଣାଳ ସେନଙ୍କ ବିୟୋଗରେ ବଙ୍ଗଳା ସମେତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକ ଛାୟ ଖେଳିଯାଇଛି ।

ତାଙ୍କ ବିୟୋଗରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରି ଲେଖିଛନ୍ତି: ମୃଣାଳ ସେନଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କ ନିଧନରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅପୂରଣୀୟ କ୍ଷତି ହେଲା। ତାଙ୍କ ପରିବାର ପ୍ରତି ସମ୍ବେଦନା ଜଣାଉଛି।

Leave A Reply