ଫସିଗଲେ ସାଂସଦଙ୍କ ପୁଅ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଅପରାଧ ଖବର ଦିନଟିଏ ବି ବନ୍ଦ ହେଉ ନାହିଁ। ସଦ୍ୟତମ ଖବର ଅନୁସାରେ ବୁଲନ୍ଦସହରରେ ଜଣେ ବ୍ୟକ୍ତି ପତ୍ନୀ ଓ ୨ ଝିଅଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ଏଭଳି କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପତ୍ନୀ ଓ ଝିଅଙ୍କ ଚରିତ୍ରକୁ ସନ୍ଦେହ କରି ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ କହିଛି। ବୁଧବାର ଭୋର୍‌ବେ​ଳେ ବୁଲନ୍ଦସହରର ଆମ୍ବେଦକର ନଗରବାସୀ ୬୦ବର୍ଷୀୟ ସଇଦ ୫୦ବର୍ଷୀୟା ପତ୍ନୀ ଓ ୩ ଝିଅଙ୍କୁ ଶୋଇଥିବା ଅବସ୍ଥାରେ ହାତୁଡ଼ିରେ ଆକ୍ରମଣ କରିଥିଲା। ଏଥିରେ ପତ୍ନୀ ଓ ୨୦ ତଥା ୧୫ ବର୍ଷୀୟା ୨ ଝିଅ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ବଞ୍ଚି ଯାଇଥିବା ୧୮ବର୍ଷୀୟା ଝିଅ ଚିକିତ୍ସାଧୀନ ରହିଛି। ସଇଦ ଜଣେ ମାନସିକ ରୋଗୀ ବୋଲି ପୁଲିସ କହିଛି। ଏ ନେଇ ସଇଦଙ୍କ ୨୨ବର୍ଷୀୟ ପୁଅ ଏତଲା ଦେଇଛି। ସେ ବିବାହିତ ଓ ପରିବାରଠାରୁ ଅଲଗା ରହୁଥିବା ପ୍ରକାଶ।

ଅନ୍ୟ ଏକ ଘଟଣାରେ ତିନି ବିରୋଧୀଙ୍କୁ ଫସାଇବା ପାଇଁ ଅପରାଧ ନାଟକ ରଚନା କରିଥିବା ଜଣେ ବିଜେପି ସାଂସଦଙ୍କ ପୁଅ ନିଜେ ଫସିଯାଇଛନ୍ତି। ସାଂସଦଙ୍କ ଶାଳକ ଏହି ଘଟଣା ଉପରୁ ପରଦା ହଟାଇଛନ୍ତି। ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ନୌର ମାଡିୟାବ ନିକଟ ଛଠାମିଲଠାରେ ଗୁଳିିମାଡ଼ ହୋଇଥିଲା। ତାଙ୍କ ଛାତିରେ ଗୁଳି ବାଜିଥିଲେ ମଧ୍ୟ ସେ ଏବେ ସୁସ୍ଥ ଅଛନ୍ତି। କିଛି ଦୁର୍ବୃତ୍ତ ମୋଟର ସାଇକଲରେ ଆସି ତାଙ୍କୁ ଗୁଳି ଚଳାଇଥିବା ସେ ଦର୍ଶାଇଥିଲେ। ପୁଲିସ ତଦନ୍ତବେଳେ ସିସିଟିଭି ଚିତ୍ରରେ କେବଳ ଜଣଙ୍କୁ ଦେଖିବାକୁ ମିଳିଥିଲା ଓ ସେ ଥିଲେ ସାଂସଦଙ୍କ ଶାଳକ। ପୁଲିସ ତାଙ୍କୁ ଜେରା କରିବାବେଳେ ଆୟୁଷଙ୍କ କଥାରେ ଓ ତାଙ୍କରି ବନ୍ଧୁକରୁ ହିଁ ଗୁଳି ଚଳାଯାଇଥିବା ଜଣାପଡ଼ିଥିଲା। ଶାଳକ କହିଥିଲେ ଯେ ଆୟୁଷଙ୍କ କହିବାନୁସାରେ ସେ ନିଜେ ତାଙ୍କୁ ଗୁଳି କରିଥିଲେ। ଆୟୁଷଙ୍କର ତିନି ଜଣ ଯୁବକଙ୍କ ସହିତ ଶତ୍ରୁତା ଥିଲା। ସେମାନଙ୍କୁ ଫସାଇବା ପାଇଁ ସେ ଏଭଳି ଷଡ଼ଯନ୍ତ୍ର କରିଥିବା ଶାଳକ ସ୍ବୀକାର କରିଥିଲେ। ଆୟୁଷ ପ୍ରେମ ବିବାହ କରିବା ପରେ ପରିବାରଠାରୁ ଅଲଗା ରହୁଥିଲେ।

ସେହିଭଳି ଯୌନ ଅପରାଧକୁ ନେଇ କୁଖ୍ୟାତ ହାଥରସ୍‌ ଜିଲାର ନୌଜାରପୁର ଗ୍ରାମରେ ସମାନ ଘଟଣା ପାଇଁ ଜେଲ୍‌ରେ ଯାଇଥିବା ଜଣେ ଅଭିଯୁକ୍ତ ଜାମିନରେ ଆସି ସୋମବାର ପୀଡ଼ିତାର ପିତାକୁ ଗୁଳିକରି ହତ୍ୟା କରିଥିଲା। ଏହି ଘଟଣା ପଛରେ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ହାତ ଥିବା ଚର୍ଚ୍ଚା ହୋଇଥିଲାବେଳେ ପୁଲିସ ବୁଧବାର ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି। ୨୦୧୮ ଜୁଲାଇରେ ଏକ ଅସଦାଚରଣ ଅଭିଯୋଗକୁ ନେଇ ଅଭିଯୁକ୍ତ ଗୌରବ ଶର୍ମା ଜେଲ୍‌ ଯାଇଥିଲା। ମାସକ ପରେ ସେ ଜାମିନରେ ଆସିଥିଲା। ସୋମବାର ପୀଡିତାର ପରିବାର ଓ ଅଭିଯୁକ୍ତ ଗୌରବର ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଗୌରବ ପୀଡିତାର ପିତାକୁ ଗୁଳି ମାରି ହତ୍ୟା କରିଥିଲା।

Comments are closed.