ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ

ନୂଆଦିଲ୍ଲୀ  : ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ଓ କ୍ରୀଡ଼ା ସରଞ୍ଜାମର ପ୍ରାୟୋଜକ ରହିବ ବୋଲି ମଙ୍ଗଳବାର ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନାଇକି ସ୍ଥାନରେ ମୋବାଇଲ୍‌ ଗେମ୍‌ କମ୍ପାନୀ ଏମ୍‌ପିଏଲ୍‌ ଭାରତୀୟ ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍‌ ଦଳର ପୋଷାକ ପ୍ରାୟୋଜକ ଭାବେ ରହିବ। ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ଭାବେ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରହିଥିବା ନାଇକି ବିସିସିଆଇକୁ ମୋଟ ୩୭୦ କୋଟି ଟଙ୍କା ପ୍ରଦାନ କରିଥିଲା। ଅନ୍ୟପକ୍ଷରେ ୨୦୨୦ ନଭେମ୍ବରରୁ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ଭାବେ ରହିବାକୁ ବିସିସିଆଇ ସହ ଚୁକ୍ତିକରିଛି।

ତେବେ ୩ ବର୍ଷ ଲାଗି ନୂତନ ପୋଷାକ ପ୍ରାୟୋଜକ ଏମ୍‌ପିଏଲ୍‌ ସ୍ପୋର୍ଟସ ବିସିସିଆଇକୁ କେତେ ଅର୍ଥ ପ୍ରଦାନ କରିବ; ତାହା ଜଣା ପଡ଼ିନାହିଁ। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ଏମ୍‌ପିଏଲ୍‌ ଲୋଗୋ ଥିବା ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଏମ୍‌ପିଏଲ୍‌ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ହୋଇଥିବାରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଏହାକୁ ସ୍ବାଗତ କରିଛନ୍ତି। ସେହିପରି ଏମ୍‌ପିଏଲ୍‌ର ବରିଷ୍ଠ ଉପସଭାପତି ଅଭିଷେକ ମାଧବନ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭାରତରେ କ୍ରିକେଟ୍‌ ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ହୋଇଥିବା ବେଳେ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ପ୍ରାୟୋଜକ ଭାବେ ଦାୟିତ୍ବ ନିର୍ବାହ କରିବା କମ୍ପାନୀ ନିମନ୍ତେ ଗୌରବର ବିଷୟ।

ସୂଚନାଥାଉକି ଏମ୍‌ପିଏଲ୍‌ ଆଇପିଏଲ୍‌ର ଦୁଇ ଦଳ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ପୂର୍ବରୁ ଜଡ଼ିତ। ଏହାସହ ଜାଣିବାକୁ ମିଳିଛି ଯେ ପ୍ରଶଂସକମାନଙ୍କୁ ଭାରତୀୟ ଦଳର ନୂଆ ପୋଷାକ ବିକ୍ରି କରିବାର ଅଧିକାର ମଧ ଏମ୍‌ପିଏଲ୍‌ ସ୍ପୋର୍ଟସ ପାଇଛି। ପୁଣି କେବଳ ଭାରତ ନୁହେଁ; ସାରାବିଶ୍ବରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ପ୍ରଶଂସକଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ବଜାରରେ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ଓ ଅନ୍ୟ କ୍ରୀଡ଼ା ସରଞ୍ଜାମ ଏମ୍‌ପିଏଲ୍‌ ସ୍ପୋର୍ଟସ ବିକ୍ରି କରିପାରିବ।

Comments are closed.