ଡେଟିଂ ଆପରେ ସାଂସଦ ନୁସରତ ଜାହାଁଙ୍କ ଫଟୋ, ଲୋଡିଲେ ପୁଲିସ ସହାୟତା

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ରୁହିଙ୍କ ଫଟୋ ଏକ ଭିଡିଓ ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ରେ ଭାଇରାଲ ହେବା ପରେ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ସହାୟତା ଲୋଡିଛନ୍ତି ସାଂସଦ ନୁସରତ। ସେ କହିଛନ୍ତି ଯେ ତାଙ୍କ ଫଟୋକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବାରୁ ସେ ଭିଡିଓ ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜଣେ ବ୍ୟବହାରକାରୀ ଏହା ଦର୍ଶାଇବା ପରେ ନୁସରତ ଟ୍ୱିଟରରେ ସେହି ଆପ ବିରୋଧରେ ଅଭିଯୋଗ କରିବା କଥା କହିଛନ୍ତି।

ସେ ଟ୍ୱିଟ କରିଛନ୍ତି ଯେ ଏହା ଆଦୌ ଗ୍ରହଣୀୟ ନୁହେଁ ଯେ ବିନା ଅନୁମତିରେ କାହାର ଫଟୋ ବ୍ୟବହାର କରାଯିବ। ସେ କୋଲକାତା ପୁଲିସର ସାଇବର ସେଲକୁ ଏ ସମ୍ପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ସେ ଏହାକୁ ଆଇନଗତ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସେ କୋଲକାତା ପୁଲିସ ସାଇବର ସେଲ ଏବଂ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। କୋଲକାତା ଅପରାଧ ବିଭାଗ ଯୁଗ୍ମ କମିଶନର ଏହି ଘଟଣାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଟ୍ୱିଟ କରିଛନ୍ତି।

ଡେଟିଂ ଆପ୍ ‘ଫ୍ୟାନ୍ସିୟୁ’ ଏହାର ଉପଭୋକ୍ତାମାନଙ୍କୁ ସର୍ବଭାରତୀୟ ସ୍ତରରେ ସଂଯୋଗ କରୁଥିବା ଅପରିଚିତ ବ୍ୟକ୍ତିଙ୍କ ସହିତ ଭିଡିଓ ଚାଟ୍ କରିବାକୁ ସୁବିଧା ଦେଇଥାଏ। ଏହି ଆପ୍ ନୁସରତ ଜାହାନଙ୍କ ଫଟୋକୁ ଏକ କ୍ୟାପସନ୍ ସହିତ ବ୍ୟବହାର କରିଥିଲା ​​ଯେଉଁଥିରେ ଲେଖାଥିଲା- “Make new friends sitting at home during lockdown”।

Comments are closed.