ଆୟୁଷ୍ମାନ ଯୋଜନାରେ କରୋନା ରୋଗୀଙ୍କ ଚିକିତ୍ସା ମାଗଣା, ଏହି ରାଜ୍ୟ କଲା ଘୋଷଣା

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବୃଦ୍ଧି କରିବା ସାଙ୍ଗକୁ ଏହା ଅଧୀନରେ କରୋନା ରୋଗୀଙ୍କ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିଛନ୍ତି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁତର ରୋଗୀଙ୍କର କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ରେମଡେସିଭିର ଇଞ୍ଜେକ୍ସନ ଏବଂ ଅମ୍ଳଜାନ ବି ଏହି ଯୋଜନାରେ ମାଗଣାରେ ଯୋଗାଇ ଦିଆଯିବ।

ଏହି ଯୋଜନାରେ କରୋନା ରୋଗୀଙ୍କ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିବା ସହିତ ରାଜ୍ୟ ସରକାର ଏଥିଲାଗି ୨୫୦ ଡାକ୍ତରଖାନା ସହିତ ୩ମାସ ପାଇଁ ଅନୁବନ୍ଧିତ କରିବାକୁ ଶୁକ୍ରବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯେଉଁ ଅର୍ଥ ଆବଶ୍ୟକ ପଡ଼ିବ ସେଥିଲାଗି ରାଜ୍ୟ ସରକାର ୪୦ ପ୍ରତିଶତ ଅତିରିକ୍ତ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରିବେ।

ପ୍ରତି ଜିଲାରେ ଥିବା ଡାକ୍ତରଖାନାଗୁଡ଼ିକ ସହିତ ଅନୁବନ୍ଧିତ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି, ଯାହାଫଳରେ ଗରିବ ଲୋକମାନଙ୍କୁ କରୋନା ଚିକିତ୍ସା କରାଇବା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।

ରାଜ୍ୟ ସରକାର ନିଜ ଘୋଷଣାରେ ସବୁଠୁ ବଡ଼ ଅଶ୍ଵସ୍ତିକର କଥା କହିଛନ୍ତି ଯେ, ଯଦି କୌଣସି ପରିବାରର କୌଣସି ଜଣେ ବ୍ୟକ୍ତିଙ୍କ ନିକଟରେ ଆୟୁଷ୍ମାନ କାର୍ଡ ଅଛି, ତେବେ​‌ ତାଙ୍କର ପୂରା ପରିବାରର ଚିକିତ୍ସା ମାଗଣାରେ ହେବ। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା କ୍ଷଣି ତାଙ୍କ ପରିବାର ଅନ୍ୟ ସଦସ୍ୟମାନଙ୍କର ଆୟୁଷ୍ମାନ କାର୍ଡ ତିଆରି କରିବା ଦାୟିତ୍ଵ ପ୍ରଶାସନ ସମ୍ପାଦନ କରିବ।

Comments are closed.