ମଧ୍ୟପ୍ରଦେଶରେ କଂଗ୍ରେସ ହାତ ଛାଡ଼ିଲା ବିଏସପି ; ଉପ ନିର୍ବାଚନର ସବୁ ୨୪ ଆସନରେ ଏକାକୀ ଲଢ଼ିବ

ଭୋପାଳ: ଉତ୍ତରପ୍ରଦେଶରେ କଂଗ୍ରେସକୁ କଡ଼ା କଥା ଶୁଣାଇବା ପରେ ମଧ୍ୟପ୍ରଦେଶରେ ଆଗକୁ ହେବାକୁଥିବା ୨୪ ବିଧାନସଭା ଉପନିର୍ବାଚନରେ ଏକାକୀ ଲଢ଼ିବାକୁ ଘୋଷଣା କରିଛି ବିଏସପି । ତାଙ୍କ ଦଳ ମଧ୍ୟପ୍ରଦେଶରେ କୌଣସି ମେଣ୍ଟ କରିବ ନାହିଁ ବୋଲି ରାଜ୍ୟ ସଭାପତି ରମାକାନ୍ତ ପିପ୍ପଲ କହିଛନ୍ତି ।

ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ ମଧ୍ୟରୁ କମଳନାଥ ସରକାରର ୨୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ । ଅନ୍ୟ ୨ ଆସନରେ ଜଣେ କଂଗ୍ରେସ ଓ ଜଣେ ବିଜେପି ବିଧାୟକ ମୃତ୍ୟୁବରଣ କରିବା ପରେ ଏହି ଆସନଗୁଡ଼ିକ ଖାଲି ପଡ଼ିଛି। ତେଣୁ ଏହି ଆସନଗୁଡ଼ିକୁ ମିଶାଇ ୨୪ଟି ଆସନରେ ନିର୍ବାଚନ ହେବ ।  ମଧ୍ୟପ୍ରଦେଶରେ ବିଏସପିର ୨ଜଣ ବିଧାୟକ ଅଛନ୍ତି ଏବଂ ଏମାନେ କମଳନାଥ ସରକାରଙ୍କୁ ସମର୍ଥନ ଦେଇଥିଲେ ।

ବିଏସପି ଅଧ୍ୟକ୍ଷା ମାୟାବତୀ ମଧ୍ୟପ୍ରଦେଶ ଉପନିର୍ବାଚନ ପ୍ରସଙ୍ଗରେ ତାଙ୍କ ଦଳର ନୀତି ସ୍ପଷ୍ଟ ବୋଲି କହିଛନ୍ତି । ସେ କହିଛନ୍ତି ଯେ କରୋନା ଓ ଲକ୍ଡ଼ାଉନ ଯୋଗୁଁ ନିର୍ବାଚନ ପ୍ରସ୍ତୁତି ଟିକିଏ ବିଳମ୍ବିତ ହୋଇଛି । ଖୁବ୍ ଶୀଘ୍ର ଉପନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବ । ଋଣଛାଡ଼, ବେକାରୀ ଆଦି ପ୍ରସଙ୍ଗ ନେଇ ତାଙ୍କ ଦଳ ଏକାକୀ ନିର୍ବାଚନ ଲଢ଼ିବ । ଅନ୍ୟପକ୍ଷରେ ଦଳର ରାଜ୍ୟ ଅଧ୍ୟକ୍ଷ ରମାକାନ୍ତ କହିଛନ୍ତି ଯେ ଶିବପୁରୀ, ଅଵୋକନଗର, ଦତୀୟ, ଭିଣ୍ଡ ଅଞ୍ଚଳରେ ୧୩ ଆସନରେ ପୂର୍ବରୁ ବିଏସପି ବିଧାୟକ ଥିଲେ । ତେଣୁ ତାଙ୍କ ଦଳ ସୁଶ୍ରୀ ମାୟାବତୀଙ୍କ ନିର୍ଦେଶ ଅନୁସାରେ ଏକାକୀ ଲଢ଼ିବ ଏବଂ ପୁରା ପ୍ରସ୍ତୁତି କରି ନିର୍ବାଚନକୁ ଓହ୍ଲାଇବ ।

Comments are closed.