ଶିକ୍ଷାଗତ ଯୋଗ୍ୟତା ନେଇ କଂଗ୍ରେସର ଅଭିଯୋଗ ମିଥ୍ୟା : ଅନୁଭବ

ଭୁବନେଶ୍ବର: ଶିକ୍ଷାଗତ ଯୋଗ୍ୟତା ନେଇ କଂଗ୍ରେସ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। କଂଗ୍ରେସର ଅଭିଯୋଗ ପରେ ଗଣମାଧ୍ୟମ ବିଜ୍ଞପ୍ତି ଜାରି କରି ଅନୁଭବ କଂଗ୍ରେସର ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି। ଅନୁଭବ ଗଣମାଧ୍ୟମ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ସେ ନିର୍ବାଚନୀ ସତ୍ୟାପାଠରେ ଉଲ୍ଲେଖ କରିଥିବା  ଶିକ୍ଷା ଗତ ଯୋଗ୍ୟତାକୁ ମିଥ୍ୟା ଦର୍ଶାଇ କଂଗ୍ରେସ କରିଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା କେବଳ ତାଙ୍କୁ ନିନ୍ଦିତ କରିବା ପାଇଁ କଂଗ୍ରେସ ଏହି ଅଭିଯୋଗ ଆଣିଛି । ସେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସମସ୍ତ ସତ୍ୟ ପ୍ରମାଣ ପତ୍ର ଦେଇଛନ୍ତି। କଂଗ୍ରେସ ରାଜ୍ୟରେ ନିଜର ପ୍ରାସଙ୍ଗିକତା ହରାଉଥିବା ବେଳେ କେନ୍ଦ୍ରାପଡାରେ ମଧ୍ୟ ଅତି ଦୟନିୟ ଭାବରେ ପରାସ୍ତ ହୋଇଛି। କେନ୍ଦ୍ରାପଡାରେ ହେଉଥିବା ବିକାଶକୁ କଂଗ୍ରେସ ସହି ପାରୁନାହିଁ ଏଣୁ ଏଥିରେ ହତାଶ ହୋଇ ଏଭଳି ମନଗଢ଼ା ଅଭିଯୋଗ ଆଣିଥିବା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ଅନୁଭବ।

ଏଠାରେ ଉଲ୍ଲେଖଯୋଗ୍ୟ ରବିବାର କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ୨୦୧୪ ରାଜ୍ୟସଭା ନିର୍ବାଚନ ବେଳେ ସତ୍ୟପାଠରେ ଅନୁଭବ ମହାନ୍ତି ନିର୍ବାଚନୀ ସତ୍ୟପାଠରେ ଜାଲ ସାର୍ଟିଫିକେଟ ଦାଖଲ କରିଥିବା ଅଭିଯୋଗ କରିଥିଲେ। ଅନୁଭବ ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ ପାସ୍ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ମାତ୍ର ୨୦୧୦ରେ ଉକ୍ତ ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରତ୍ୟାହାର କରାଯାଇଛି। ଏନେଇ ସୁପ୍ରିମକୋର୍ଟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠ ହୋଇଛି। ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅନୁଭବ ୨୦୦୩ରେ କନ୍ଦରପୁର କଲେଜର ଯୁକ୍ତ ୩ ଛାତ୍ର ଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ମାଇଗ୍ରେସନ ସାର୍ଟିଫିକେଟ୍ ମିଳିନାହିଁ। ମାଇଗ୍ରେସନ ସାର୍ଟିଫିକେଟ୍ ବିନା ଅନ୍ୟ କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖା ହୋଇପାରିବନାହିଁ। କିନ୍ତୁ ସେ ମିରଟର ସୋଭିଏତ ଯୁନିଭର୍ସିଟି ଅଫ ଟେକ୍ନୋଲୋଜିରେ କିଭଳି ଗ୍ରାଜୁଏସନ ପାସ୍ କଲେ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠାଇଥିଲା କଂଗ୍ରେସ।

 

Comments are closed.