ଦଳବଦଳ ବ୍ୟାଧି; ଗତ ୫ବର୍ଷରେ ସବୁଠୁ ଅଧିକ, ୫ ରାଜ୍ୟରେ ଭାଙ୍ଗିଯାଇଛି ସରକାର

-ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ

ମହେଶ ଶର୍ମା

ଦେଶରେ ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଦଳବଦଳ ପ୍ରକ୍ରିୟା ଏକ ଭୂତାଣୁ ଭଳି ମାଡ଼ିଯାଉଛି। କହିବାକୁ ଗଲେ ଏହା ଏକ ବ୍ୟାଧିରେ ପରିଣତ ହୋଇଯାଇଛି। ଦଳବଦଳ ନିରୋଧୀ ଆଇନ ରହିଥିଲେ ହେଁ, ତାହା ଏହି ନେତାମାନଙ୍କୁ ନିୟମ ଭିତରେ ବାନ୍ଧି ରଖିପାରି ନାହିଁ। ଯାହାର ଉଦାହରଣ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ୨୦୧୬ରୁ ୨୦୨୦ ମଧ୍ୟରେ ତଥ୍ୟକୁ ଅନୁଶୀଳନ କଲେ ଜଣାଯାଇଛି ଯେ, ଦଳବଦଳ ଯୋଗୁ ସର୍ବାଧିକ କ୍ଷତି କଂଗ୍ରେସକୁ ହୋଇଛି, କିନ୍ତୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି)କୁ ଚଳିତଥର ଅଧିକ କ୍ଷତି ହୋଇଥିବା ଦେଖାଯାଇଛି।

ସ୍ବଚ୍ଛ, ଦୁର୍ନୀତିମୁକ୍ତ ନିର୍ବାଚନ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଏଡିଆର (ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ୍ସ) ରିପୋର୍ଟ ଅନୁସାରେ, ୨୦୧୬ରୁ ୨୦୨୦ ମଧ୍ୟରେ ହୋଇଥିବା ନିର୍ବାଚନରେ ସବୁଠୁ ଅଧିକ କ୍ଷତି କଂଗ୍ରେସକୁ ମିଳିଛି। କଂଗ୍ରେସ ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳକୁ ଡିଆଁ ମାରିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ବିଜେପିର ୧୮ ବିଧାୟକ ଅନ୍ୟ ଦଳକୁ ଯାଇଛନ୍ତି।

Image Courtesy: the telegraph

ଏବେ ପଶ୍ଚିମବଙ୍ଗ ରାଜନୀତିରେ ଦଳବଦଳ ଏକ ସାଧାରଣ କଥା ପାଲଟିଛି। ଟିଏମସିର ବରିଷ୍ଠ ନେତା ଏବେ ବିଜେପିରେ ମିଶିଛନ୍ତି। ମୁକୁଲ ରୟ, ଦିନେଶ ତ୍ରିବେଦୀ, ସୁଭେନ୍ଦୁ ଅଧିକାରୀ, ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିୟା, ଶୀଳଭଦ୍ର ଦତ୍ତ, ମିହିର ଗୋସ୍ବାମୀ, ଅରିନ୍ଦମ ଭଟ୍ଟାଚାର୍ଯ୍ୟ, ରୁଦ୍ରନଲି ଘୋଷ, ରତିନ ଚକ୍ରବର୍ତ୍ତୀ, ପ୍ରବୀର ଘୋଷାଲ, ଜିତେନ୍ଦ୍ର ତିୱାରୀ, ସୁନୀଲ ମଣ୍ଡଳ, ଲକ୍ଷ୍ମୀରତନ ଶୁକ୍ଳା ପ୍ରମୁଖ ଚଳିତବର୍ଷ ଟିଏମସି ଛାଡ଼ି ଅନ୍ୟ ଦଳକୁ ଚାଲିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବିଧାୟକ ଏବଂ ଏମପି ମଧ୍ୟ ଅଛନ୍ତି। ଟିକେଟ କଟିବା ଯୋଗୁ ଆହୁରି ଅନେକ ନେତା ଦଳବଦଳ କରିପାରନ୍ତି। ବିଜେପି ବି ଅଧିକାଂଶ ଟିକେଟ ସେମାନଙ୍କୁ ଦେଉଛି ଯେଉଁମାନେ ଟିଏମସି ଛାଡ଼ି ବିଜେପିକୁ ଆସୁଛନ୍ତି। ସେମାନଙ୍କୁ ଟିକେଟ ଦେବାକୁ ଆଶ୍ଵାସନା ବି ଦିଆଯାଉଛି। ସେପଟେ ମମତା ବି କହୁଛନ୍ତି, ଯାହାକୁ ଯିବାର ଅଛି ସେମାନେ ଯାଆନ୍ତୁ। ଦଳବଦଳ ଯୋଗୁ ପଶ୍ଚିମବଙ୍ଗରେ ଏବେ ଟିଏମସି ସହିତ ଟିଏମସିର ଲଢ଼େଇ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

ଏଡିଆର ପକ୍ଷରୁ ନିକଟରେ ଦଳବଦଳ ନେଇ ଏକ ରିପୋର୍ଟ ଜାରି କରାଯାଇଛି। ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଏଡିଆର ୪୪୩ ବିଧାୟକ ଏବଂ ସାଂସଦଙ୍କ ନାମାଙ୍କନପତ୍ରକୁ ବିଶ୍ଳେଷଣ କରିଛି, ​‌ଯେଉଁମାନେ ୨୦୧୬-୨୦୨୦ ମଧ୍ୟରେ ଅର୍ଥାତ୍‌ ୫ ବର୍ଷ ଭିତରେ ଦଳ ଛାଡ଼ିଛନ୍ତି ଏବଂ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୫ ବର୍ଷ ଭିତରେ ଦଳ ବଦଳାଇ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୪୦୫ ବିଧାୟକଙ୍କ ମଧ୍ୟରୁ ୧୮୨ (୪୪.୯%) ବିଜେପିରେ ସାମିଲ ହୋଇଛନ୍ତି, ୩୮ ବିଧାୟକ (୯.୪%) କଂଗ୍ରେସରେ ଏବଂ ୨୫ ବିଧାୟକ ଟିଆରଏସରେ ଯୋଗଦେଇଛନ୍ତି। ରିପୋର୍ଟ ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ୫ ବିଜେପି ଏମପି ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯାଇଥିଲେ। ୨୦୧୬-୨୦ ମଧ୍ୟରେ କଂଗ୍ରେସର ୭ ରାଜ୍ୟସଭା ସଦସ୍ୟ ଅନ୍ୟ ଦଳରେ ସାମିଲ ହୋଇଛନ୍ତି।

ଏଡିଆର ରିପୋର୍ଟରେ କୁହାଯାଇଛି ଯେ, ୨୦୧୬ରୁ ୨୦୨୦ ମଧ୍ୟରେ ହୋଇଥିବା ନିର୍ବାଚନରେ କଂଗ୍ରେସର ୧୭୦ ବିଧାୟକ (୪୨%) ଅନ୍ୟ ଦଳକୁ ଚାଲିଯାଇଛନ୍ତି। ଏହି ସମୟରେ ବିଜେପିର ମାତ୍ର ୧୮ ବିଧାୟକ (୪.୪%) ଦଳ ଛାଡ଼ିଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, ବିଧାୟକମାନଙ୍କ ଦଳବଦଳ ଯୋଗୁ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳ ପ୍ରଦେଶ ଏବଂ କର୍ନାଟକରେ ସରକାର ବଦଳି ଯାଇଛି। ସେହିପରି ଏହି ୫ ବର୍ଷ ଭିତରେ ଦଳ ବଦଳାଇ ପୁଣି ରାଜ୍ୟସଭା ନିର୍ବାଚନ ଲଢିଥିବା ୧୬ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ସାମିଲ ହୋଇଛନ୍ତି।

ବିଧାୟକମାନଙ୍କର ଦଳବଦଳ ଯୋଗୁ ୫ ବର୍ଷ ଭିତରେ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳ ପ୍ରଦେଶ ଏବଂ କର୍ନାଟକରେ ସରକାର ଭାଙ୍ଗିଯାଇଛି। ୨୦୧୬ରୁ ୨୦୨୦ ମଧ୍ୟରେ ମୋଟ ୧୨ ଲୋକ ସଭା ସଦସ୍ୟ ଦଳ ବଦଳାଇ ପୁଣି ଥରେ ନିର୍ବାଚନ ଲଢ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୫ ସାଂସଦ (୪୧.୭%) ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ସମାନ ସଂଖ୍ୟକ ସାଂସଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଦଳ ବଦଳାଇଥିବା ୧୬(୪୩.୮%) ରାଜ୍ୟସଭା ସଦସ୍ୟ ୨୦୧୬ରୁ ୨୦୨୦ ମଧ୍ୟରେ କଂଗ୍ରେସ ଛାଡ଼ି ଅନ୍ୟ ଦଳରୁ ନିର୍ବାଚନ ଲଢ଼ିଛନ୍ତି।

ଏଡିଆରର ଏହି ତଥ୍ୟରୁ ଜଣାପଡ଼ିଛି ଯେ, ୩୫୭ ବିଧାୟକ, ଯେଉଁମାନେ ଦଳ ବଦଳାଇ ପୁଣି ଥରେ ନିର୍ବାଚନ ଲଢ଼ିଛନ୍ତି, ସେମାନଙ୍କ ମଧ୍ୟରୁ ୧୭୦ ଜଣ (୪୮%) ବିଜୟୀ ହୋଇଛନ୍ତି। ବିଧାନସଭା ଉପନିର୍ବାଚନରେ ଦଳବଦଳ ନେତାଙ୍କ ସଫଳତା ହାର ଅଧିକ ଥିଲା। ଦଳ ବଦଳାଇଥିବା ୪୮ ନେତାଙ୍କ ମଧ୍ୟରୁ ୩୯ ଅର୍ଥାତ ୮୧% ପୁଣି ନିର୍ବାଚିତ ହୋଇଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ଭାରତର ସଂସଦୀୟ ଲୋକତନ୍ତ୍ରର ନୈତିକ ଗୁଣର ପତନ ଯୋଗୁ ମୌଳିକ ସିଦ୍ଧାନ୍ତ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ଟଙ୍କା ଏବଂ କ୍ଷମତା ପାଇଁ ଦଳବଦଳ କରିବା ଆମ ସାଂସଦ, ବିଧାୟକ ଏବଂ ରାଜନୈତିକ ଦଳଗୁଡ଼ିକ ପାଇଁ ସାଧାରଣ କଥା ହୋଇଯାଇଛି। ଦଳବଦଳର ସବୁଠୁ ବଡ଼ କାରଣ ହେଉଛି, ରାଜନୈତିକ ମୂଲ୍ୟବୋଧର ପତନ ଏବଂ ଟଙ୍କା ଓ କ୍ଷମତା ଲୋଭ। ଯେପର୍ଯ୍ୟନ୍ତ ଏସବୁ ପ୍ରବୃତ୍ତିରେ ସୁଧାର ଆସିବ ନାହିଁ, ସେ ପର୍ଯ୍ୟନ୍ତ ଆମ ନିର୍ବାଚନୀ ଏବଂ ରାଜନୈତିକ ସ୍ଥିତିରେ ସୁଧାର ଆସିବ ନାହିଁ। ରାଜନୀତିକୁ ନିରପେକ୍ଷ, ସ୍ବଚ୍ଛ, ଅବାଧ, ବିଶ୍ଵସନୀୟ କରିବାର ଆବଶ୍ୟକତା ରହିଛି। ଯଦି ଆମେ ଏହି ତ୍ରୁଟିଗୁଡିକୁ ସଂଶୋଧନ କରିବାକୁ ସକ୍ଷମ ନ ହେବା, ଯେଉଁଥିପାଇଁ ସାଂସଦ ଓ ବିଧାୟକଙ୍କ ଦ୍ୱାରା ଦଳବଦଳ କରାଯାଉଛି, ତେବେ ଏହା ଗଣତନ୍ତ୍ର ପ୍ରତି ଏକ ଉପହାସ ହେବ ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି।

Comments
Loading...