ଜିଲ୍ଲା ଖଣିଜ ପାଣ୍ଠିକୁ ଟିକସ ମୁକ୍ତ କରିବାକୁ ସୀତାରମଣଙ୍କୁ ସାଂସଦ ଅମରଙ୍କ ଅନୁରୋଧ

ଭୁବନେଶ୍ୱର: ଖଣିଜ ଅଞ୍ଚଳରେ ସାଧାରଣ ଲୋକଙ୍କୁ ପ୍ରଦୂଷଣ ଦାଉରୁ ରକ୍ଷା କରିବା, ଠିକଣା ସ୍ବାସ୍ଥ୍ୟସେବା ଯୋଗାଇଦେବା ଏବଂ ବିିଭିନ୍ନ କଲ୍ୟାଣମୂଳକ କାର୍ୟ୍ୟକ୍ରମ କରିବା ପାଇଁ ୨୦୧୫ରେ ଗଠିତ ଜିଲ୍ଲା ଖଣିଜ ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରିଛନ୍ତି। ମାତ୍ର କେନ୍ଦ୍ର ସରକାର ଏହି ଟ୍ରଷ୍ଟ ଉପରେ ଜିଏସଟି ଏବଂ ଆୟକର ଲଗାଇ ବ୍ୟବସ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା କାର୍ୟ୍ୟକାରୀରେ ଅନ୍ତରାୟ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ଓ ଜିଏସଟି ମୁକ୍ତ କରିବା ଲାଗି ସାଂସଦ ଅମର ପ୍ରସାଦ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ ପତ୍ର ଲେଖିଛନ୍ତି।

ସେ ପତ୍ରରେ ଦର୍ଶାଇଛନ୍ତି ଯେ ଲଘୁ ଖଣିଜ ସମ୍ପଦ ଆଇନ -୧୯୫୭ର ଅନୁଚ୍ଛେଦ-୯ ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠି ଗଠନ କରିଛନ୍ତି। ଏହି ପାଣ୍ଠି କେବଳ ଖଣିଜ ଅଞ୍ଚଳରେ ବିଭିନ୍ନ କଲ୍ୟାଣମୂଳକ କାର୍ୟ୍ୟକ୍ରମ ପାଇଁ ଖର୍ଚ୍ଚ ହେବ। ଲାଭ ଉଦ୍ଦେଶ୍ୟରେ ଏହି ଫାଉଣ୍ଡେସନ ଗଠନ କରାଯାଇନାହିଁ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଣ୍ଠି ଉପରେ ଆୟକର ଓ ଜିଏସଟି ଲାଗୁ ହେଉଥିବା ଯୋଗୁଁ ଟ୍ରଷ୍ଟକୁ ବିପୁଳ କ୍ଷତି ସହିବାକୁ ପଡୁଛି। ଅନ୍ୟପକ୍ଷରେ ଯୋଜନାର ଆଭିମୁଖ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ରାଜ୍ୟରେ ୮ଟି ଜିଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଖଣିଜ ପାଣ୍ଠି ଗଠନ କରାଯାଇଛି। ଜିଲ୍ଲା ପ୍ରଶାସନ ଏହି ପାଣ୍ଠିର ଖର୍ଚ୍ଚକୁ ତଦାରଖ କରୁଛି।

ଅମର ଯେ ଆୟକର ବିଭାଗ ଏବଂ ଜିଏସଟି ପକ୍ଷରୁ ଖଣିଜ ଅଞ୍ଚଳରେ ଏହି ପାଣ୍ଠିରେ ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନିର୍ମାଣ ହେଉଥିବା ରାସ୍ତା ଓ ଅନ୍ୟାନ୍ୟ କାର୍ୟ୍ୟ ଉପରେ କର ଲଗାଉଛନ୍ତି। ଯାହାଫଳରେ ବର୍ଷକୁ ପ୍ରାୟ ୧୦୦କୋଟି ଟଙ୍କାର ଟିକସ ଟ୍ରଷ୍ଟକୁ ବହନ କରିବାକୁ ପଡୁଛି। ସେହିପରି ବୋଝ ଉପରେ ନଳିତା ବିଡ଼ା ସଦୃଶ କେନ୍ଦ୍ର ସରକାରଙ୍କ ଜିଏସଟି ଯୋଜନାକୁ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କ ବିକାଶ କରିବା ହେଉଛି ଏକ ବିକାଶମୂଳକ ରାଷ୍ଟ୍ରର ମୁଖ୍ୟ ଲକ୍ଷ୍ୟ। ଦେଶକୁ ସୁଦୃଢ଼ ଏବଂ ପ୍ରଗତି ପଥରେ ଆଗେଇ ନେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଡ଼ିଏମଏଫ ଉପରୁ ପିଛିଲା ଭାବେ ଜିଏସଟି ପ୍ରତ୍ୟାହାର କରିବା ଆବଶ୍ୟକ। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ବତନ୍ତ୍ର ବୈଠକ ଆହୂତ କରି ଟ୍ରଷ୍ଟ ଉପରୁ ତୁରନ୍ତ ଜିଏସଟି ହଟାଇବା ସହିତ ଆୟକର ମୁକ୍ତ କରିବାକୁ ସେ କେନ୍ଦ୍ରମନ୍ତ୍ରୀ ସୀତାରମଣଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

Comments are closed.