ମୋଜାମ୍ବିକ : ୫୦ରୁ ଅଧିକ ଲୋକଙ୍କୁ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କବାଦୀ

ଆଫ୍ରିକୀୟ ଦେଶ ମୋଜାମ୍ବିକର କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ଏକ ଫୁଟବଲ ପଡ଼ିଆରେ ୫୦ରୁ ଅଧିକ ଲୋକଙ୍କୁ ମୁଣ୍ଡ କାଟି ହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ, ସେମାନେ ତାଙ୍କ ତଣ୍ଟିକୁ ଖଣ୍ଡ ଖଣ୍ଡ କରି ଦେଇଛନ୍ତି। ବର୍ବରତାର ସହ କରାଯାଇଥିବା ଏହି ହତ୍ୟାରେ ଅତି କମରେ ୧୫ ପିଲାଙ୍କୁ ମଧ୍ୟ ମାରି ଦିଆଯାଇଛି।

ଖବର ଅନୁଯାୟୀ, ମୃତଦେହ ଗାଁ ନିକଟ ଜଙ୍ଗଲରେ ଏବଂ ଗାଁ ନିକଟ ଫୁଟବଲ ପଡ଼ିଆରେ ମିଳିଛି। ମୋଜାମ୍ବିକ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ ଆତଙ୍କବାଦୀମାନେ ଅନେକ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଲୋକଙ୍କୁ ଫୁଟବଲ ପଡ଼ିଆକୁ ନିଆଯାଇଥିଲା। ତାଙ୍କୁ ସେଠାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଆତଙ୍କବାଦୀମାନେ ମହିଳା ଓ ଶିଶୁଙ୍କୁ ମଧ୍ୟ ଅପହରଣ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବନ୍ଧୁକଧାରୀ ଆତଙ୍କବାଦୀମାନେ ଆଲ୍ଲାଙ୍କ ନାମରେ ସ୍ଲୋଗାନ ଦେଉଥିଲେ। ସେମାନେ ଗ୍ରାମବାସୀଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ, କାବୋ ଡେଲଡାଗୋ ପ୍ରଦେଶରେ ଆଇଏସ୍ ଆତଙ୍କବାଦୀମାନେ ୨୦୧୭ ପରଠାରୁ ଏଭଳି ଆକ୍ରମଣ କରି ଚାଲିଛନ୍ତି। ସେତେବେଳେ ୨୦୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ତେବେ ୨୦୧୭ ପରଠାରୁ ଅତି କମରେ ୨,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୪,୦୦,୦୦୦ ରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି।

Comments are closed.