ମୌସୁମୀ ନିରୁଦ୍ଦିଷ୍ଟ

0

ନୂଆଦିଲ୍ଲୀ: ଆଷାଢ଼ ଯାଇ ଶ୍ରାବଣ ହେଲାଣି। ଚଳିତ ବର୍ଷ ଯୋଡ଼ା ମାସ ହୋଇ ନଥିଲେ ଭାଦ୍ରବ ହୁଅନ୍ତାଣି। ହେଲେ ବର୍ଷାର ଦେଖା ନାହିଁ। ଏଭଳି ମତ ଏବେ ଶୁଣିବାକୁ ମିଳୁଛି ଗାଁ ଗହଳିରୁ ଆରମ୍ଭ କରି ସହର ବଜାର ଓ ବିଶେଷଜ୍ଞ, ବୁଦ୍ଧିଜୀବୀଙ୍କ ଆଲୋଚନାରେ। କବି ଓ ଲେଖକଙ୍କ ଭାଷାରେ ମୌସୁମୀ ନିରୁଦ୍ଦିଷ୍ଟ।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଇଂରାଜୀ ମାସର ପ୍ରଥମ ସପ୍ତାହରେ ଯେତିକି ପରିମାଣରେ ବର୍ଷା ହେବା କଥା ତା’ ଠାରୁ ଯଥେଷ୍ଟ କମ୍‍ ରହିଛି। ଆଗାମୀ ଦିନରେ ସ୍ୱାଭାବିକଠାରୁ ମଧ୍ୟ କମ୍‍ ବର୍ଷା ହୋଇପାରେ ବୋଲି ଘରୋଇ ପାଣିପାଗ ବିଶେଷଜ୍ଞ ସଂସ୍ଥା ସ୍କାଏମେଟ୍‍ ପୁଣି ପୂର୍ବାନୁମାନ କରିଛି। ଜୁନ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବୃଷ୍ଟିପାତ ପରିମାଣ ହାରାହାରି ୧୦୦% ହେବ ବୋଲି ଗତ ଏପ୍ରିଲ୍‍ ମାସରେ ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଏବେ ବୃଷ୍ଟିପାତ ପରିମାଣ ହାରାହାରି ୯୨% ରହିଛି। ଦେଶର କେତେକ ଅଞ୍ଚଳରେ ମାତ୍ରାଧିକ ବୃଷ୍ଟିପାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବଇ ଓ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଧନଜୀବନ ହାନି ଘଟିଛି। କିନ୍ତୁ ଦେଶର ଆଉ କେତେକ ଅଞ୍ଚଳରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ମଧ୍ୟ କମ୍‍ ରହିଛି। ମୌସୁମୀର ଏହି ଅସ୍ୱାଭାବିକତା ପାଇଁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଆସୁଥିବା ଏଲ୍‍ିନିନୋକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି।
ଦେଶର ଅର୍ଦ୍ଧାଧିକ କୃଷିକ୍ଷେତ୍ର ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଅନେକ ଅଞ୍ଚଳରେ ମରୁଡ଼ି ଆଶଙ୍କା କରାଯାଇଛି। ବିଶେଷକରି ଧାନ, କପା, ଗହମ ଓ ଆଖୁ ଚାଷ ପ୍ରଭାବିତ ହେବ ବୋଲି ପାରମ୍ପରିକ ଚାଷୀମାନେ ଆଶଙ୍କା କରିଛନ୍ତି। ଅପରପକ୍ଷରେ ଏଭଳି ଆଶଙ୍କାକୁ କୃଷି ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି।

Leave A Reply