ସତ୍ୟସାଇ ହୃଦ୍‌ରୋଗ ହସ୍ପିଟାଲରେ ଗରିବ ଶିଶୁଙ୍କୁ ୨ ବର୍ଷ ମାଗଣା ଚିକିତ୍ସା

ପ୍ରଶାନ୍ତି ହସ୍ପିଟାଲ-ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା

ଗରିବଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର : ଅହମ୍ମଦାବାଦର ସତ୍ୟସାଇ ହୃଦରୋଗ ଚିକିତ୍ସାଳୟରେ ଆସନ୍ତା ଦୁଇ ବର୍ଷ ପାଇଁ ଓଡ଼ିଶାର ଗରିବ ଓ ଅଭାବୀ ପିଲାମାନଙ୍କୁ ମାଗଣାରେ ହୃଦରୋଗ ଚିକିତ୍ସା ସେବା ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ଆଜି ଓଡ଼ିଶା ସରକାର ପ୍ରଶାନ୍ତି ମେଡ଼ିକାଲ ସର୍ଭିସେସ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭିନିତ ଶରଣ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ଝାବେରୀ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୨୦୧୮ ନଭେମ୍ବର ୧୮ରେ ଓଡ଼ିଶାର ହୃଦରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ନିମନ୍ତେ ଏହି ହସ୍ପିଟାଲ ସହିତ ଯୋଗସୂତ୍ର ସ୍ଥାପନ କରାଯାଇଥିଲା। ଚୁକ୍ତି ଅନୁସାରେ ରାଜ୍ୟ ସରକାର ରୋଗାକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ହସ୍ପିଟାଲକୁ ପଠାଇବା ବାବଦ ପରିବହନ ଖର୍ଚ୍ଚ ବହନ କରୁଛନ୍ତି। ସେମାନଙ୍କୁ ‌ସବୁ ଚିକିତ୍ସା ମାଗଣାରେ ଯୋଗାଇଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୧୯ ଶିଶୁଙ୍କ ହୃଦ ଅ​‌େ​‌ସ୍ତ୍ରାପଚାର କରାଯାଇଛି ଏବଂ ସେମାନେ ଏହାଦ୍ବାରା ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ଼ ପରିସ୍ଥିତି ଦୂର ହେଲେ ପରବର୍ତ୍ତୀ ବ୍ୟାଚ ଶିଶୁଙ୍କୁ ହସ୍ପିଟାଲ ପଠାଯିବ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଗରିବ ଲୋକଙ୍କୁ ଧାର୍ଯ୍ୟ ସମୟରେ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ଗରିବ ଲୋକମାନଙ୍କୁ ‌ମାଗଣାରେ ହୃଦରୋଗ ଚିକତ୍ସା ଯୋଗାଇବା ଏକ ଉଲ୍ଲେଖନୀୟ ପଦକ୍ଷେପ। ରାଜ୍ୟର ୧୦୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦିଆଯାଇଥିବାରୁ ଏଥିରେ ସେ ଖୁସିବ୍ୟକ୍ତ କରିବା ସହିତ ସମ୍ପୃକ୍ତ ହସ୍ପିଟାଲର ପ୍ରଶଂସା କରିଥିଲେ। ଏହି ସେବା ସେପରି ଅବ୍ୟାହତ ରହିବ ତାହାକୁ ଦୃଷ୍ଟିରେ ରଖି ହସ୍ପିଟାଲ ସହିତ ଚୁକ୍ତିନାମା ସମ୍ପ୍ରସାରିତ କରାଯାଇଛି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବା କାଳରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଶରଣ ଓଡ଼ିଶାକୁ ତାଙ୍କର ଦ୍ବିତୀୟ ଘର ବୋଲି ବର୍ଣ୍ଣନା କରିଥିଲେ। ରାଜ୍ୟ ପାଇଁ କୌଣସି କାମ କରିବା ତାଙ୍କ ପାଇଁ ଏକ ସୁଯୋଗ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ ଶରଣ ପିଏମଏସଆରଏଫ ଏବଂ ଓଡ଼ିଶା ସଂଯୋଗ ସ୍ଥାପନ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଫିକ ମାନବ ଜାତିର ସେବା ସବୁଠୁ ବଡ଼ ଧର୍ମ ବୋଲି ଅଭିହିତ କରିବା ସହିତ ଓଡ଼ିଶା ସରକାର ଏବଂ ସତ୍ୟସାଇ ହାର୍ଟ ହସ୍ପିଟାଲର ନିଃସ୍ବାର୍ଥସେବା ମନୋବୃତ୍ତିର ପ୍ରଶଂସା କରିଥିଲେ।
ଜଷ୍ଟିସ ଜାଭେରୀ କହିଥିଲେ ଯେ ଓଡ଼ିଶା ତାଙ୍କ ପାଇଁ ଖୁବ୍ ପ୍ରିୟ ରାଜ୍ୟ। ସେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟକୁ ଯେପରି ନେତୃତ୍ବ ଦେଉଛନ୍ତି ତାହାର ସେ ପ୍ରଶଂସା କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ରହିଛି ବୋଲି କହିଥିଲେ। ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦ୍ବାରା ଯୋଗାଇ ଦିଆଯାଉଥିବା ସେବା ସଂକ୍ରାନ୍ତରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନ ଏମଡ଼ି ଶାଳିନୀ ପଣ୍ଡିତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଶିଶୁମାନଙ୍କୁ ଔଷଧ ସମେତ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

Comments are closed.