ଶ୍ରବଣ ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ଆସିବ ସାଙ୍କେତିକ ପାଠ୍ୟ, ଏମଓୟୁ ସ୍ୱାକ୍ଷରିତ

ଶ୍ରବଣ ବାଧିତ ଛାତ୍ରଛାତ୍ରୀମାନଙ୍କୁ ସହଜ ଶିକ୍ଷାଗତ ସାମଗ୍ରୀ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଏବଂ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହା ଫଳରେ ଶ୍ରବଣ ବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଯୋଗାଯୋଗ ଫର୍ମାଟରେ ଶିକ୍ଷାଗତ ସାମଗ୍ରୀ ଉପଲବ୍ଧ ହେବ। କେନ୍ଦ୍ର ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ମଧ୍ୟରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଶ୍ରୀ ଗେହଲଟ୍ କହିଛନ୍ତି ଯେ ଏହି ଏମଓୟୁ ସ୍ୱାକ୍ଷର କରିବା ଏକ ଐତିହାସିକ ପଦକ୍ଷେପ କାରଣ ଏଣିକି ଭାରତୀୟ ସାଙ୍କେତିକ ଭାଷାରେ ଏନସିଇଆରଟି ପାଠ୍ୟପୁସ୍ତକ ଉପଲବ୍ଧ ହେବ ଯାହା ନିଶ୍ଚିତ କରିବ ଯେ ଶ୍ରବଣ ବାଧିତ ପିଲାମାନେ ବର୍ତ୍ତମାନ ଭାରତୀୟ ସାଙ୍କେତିକ ଭାଷାରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ। ସେ କହିଛନ୍ତି, ଶ୍ରବଣ ବାଧିତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ଏହା ଏକ ଉପଯୋଗୀ ତଥା ବହୁ ଆବଶ୍ୟକୀୟ ଉପାଦାନ ହେବ। ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ ଏନସିଇଆରଟି ଶିକ୍ଷଣ ସାମଗ୍ରୀକୁ ଭାରତୀୟ ସାଙ୍କେତିକ ଭାଷାରେ ରୂପାନ୍ତର କରିବା ପାଇଁ ଏମଓୟୁ ସ୍ୱାକ୍ଷର କରିବା ଦ୍ୱାରା ନୂତନ ଶିକ୍ଷା ନୀତି, ୨୦୨୦ ଅନୁଯାୟୀ ଭାରତୀୟ ସାଙ୍କେତିକ ଭାଷାର ଶିକ୍ଷାଗତ ଯୋଗ୍ୟତା ନିଶ୍ଚିତ ହୋଇଛି।

ଏମଓୟୁ ଅନୁଯାୟୀ, ଏନସିଇଆରଟି ପାଠ୍ୟପୁସ୍ତକ, ଶିକ୍ଷକମାନଙ୍କ ପାଇଁ ହ୍ୟାଣ୍ଡବୁକ୍ ଏବଂ ଅନ୍ୟାନ୍ୟ ସହାୟକ ସାମଗ୍ରୀ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ପାଇଁ ଡିଜିଟାଲ୍ ଫର୍ମାଟରେ ଭାରତୀୟ ସାଙ୍କେତିକ ଭାଷାରେ ରୂପାନ୍ତରିତ ହେବ।

Comments are closed.