ମୋଟୁ ଥାନାଧିକାରୀ ଗିରଫ

ଭୁବନେଶ୍ୱର :  ଟଙ୍କା ସହ ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଥିବା ମୋଟୁ ଥାନାଧିକାରୀ ସୁଶାନ୍ତ କୁମାର ସାହୁ ଗିରଫ ହୋଇଛନ୍ତି । ଅଦାଲତରେ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ
ଦିଆଯାଇଛି । ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ବୁଧବାର ନିଜ ସମ୍ପର୍କୀୟଙ୍କ ନାମରେ ଥିବା ଏକ କାରରେ ମୋଟୁରୁ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରାସ୍ଥିତ ବାସଭବନକୁ ଆସୁଥିଲେ । ସେ ସାଥୀରେ ମୋଟା ଅଙ୍କର ଅର୍ଥ ନେଇ ଆସୁଥିବା ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ଏକ ଦଳ ଶ୍ରୀ ସାହୁଙ୍କ ଗାଡିକୁ ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ନିକଟ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ଗାଡିରୁ ୨ଲକ୍ଷ ୮୦ହଜାର ଟଙ୍କା ମିଳିଥିଲା। ଏତେଗୁଡିଏ ଟଙ୍କା କେଉଁଠୁ ଆଣିଲେ ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଏଥିସହ ଶ୍ରୀ ସାହୁଙ୍କ ମୋଟୁସ୍ଥିତ ସରକାରୀ ବାସଭବନ, ନଖରା ପୈତୃକ ବାସଭବନ, କଟକ ଶ୍ୱଶୁର ଘର ଓ ଅନ୍ୟ ସମ୍ପର୍କୀୟଙ୍କ ବାସଭବନରେ ଏକସଙ୍ଗେ ଚଢଉ କରାଯାଇଥିଲା । ନଖରାସ୍ଥିତ ବାସଭବନରୁ ଦୁର୍ନୀତି ନିବାରଣ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ତାଙ୍କ ପତ୍ନୀଙ୍କ ନାମରେ ଥିବା ଜମି କବଲା ଜବତ କରିଥିଲା । ନିକଟରେ କ୍ରୟ କରାଯାଇଥିବା ଜମିର ମୂଲ୍ୟ ୨୪ଲକ୍ଷ ୯୦ହଜାର ଟଙ୍କା ବୋଲି ଜଣାପଡିଛି । ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ମାମଲାର ତଦନ୍ତ ଜାରି ରହିଥିବା ଦୁର୍ନୀତି ନିବାରଣ ସୂତ୍ରରୁ ପ୍ରକାଶ।

Comments are closed.