ସଂଶୋଧିତ ମୋଟର ଯାନ ଆଇନ ; ଦୁଇ ମାସରେ ଆଦାୟ ହୋଇଛି ‌କୋଟିଏ ଟଙ୍କାର ଜରିମାନା

ଭୁବନେଶ୍ୱର : ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ପହିଲାରୁ ନଭେମ୍ବର ପହିଲା ମଧ୍ୟରେ ରାଜ୍ୟ ସରକାର ୧ କୋଟି ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଲାଇସେନ୍ସ, ବୀମା ଏବଂ ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା କାରଣରୁ ପରିବହନ ଅଧିକାରୀଙ୍କ ଦ୍ବାରା ଧରପଗଡ଼ ସମୟରେ ଟ୍ରାଫିକ ଆଇନ ଉଲ୍ଲଘଂନକାରୀଙ୍କଠାରୁ ଏହି ଜରିମାନା ଆଦାୟ କରାଯାଇଛି।

ବିଧାନସଭାରେ ବିଧାୟକ ମୋହନଚରଣ ମାଝିଙ୍କ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ଉଲ୍ଲଘଂନକାରୀଙ୍କଠାରୁ ୧,୦୫,୩୪,୭୬୦ଟଙ୍କା ଆଦାୟ ହୋଇଛି। ବିନା ଡ଼୍ରାଇଭିଂ ଲାଇସେନ୍ସ​ରେ ଗାଡ଼ି ଚଳାଉଥିବା ୫୩୧୭ଜଣଙ୍କଠାରୁ ସର୍ବାଧିକ ୪୬ଲକ୍ଷ ୮୫୦ଟଙ୍କା ଆଦାୟ ହୋଇଛି। ଏହି ସମୟରେ ୨୨୦୬ ଦୁଇଚକିଆ, ୪୯୫ ତିନିଚକିଆ ଏବଂ ୧୬୩୧ ଚାରି ଚକିଆ ଯାନ ଠାବ କରାଯାଇଥିଲା।
ବିନା ବୀମାରେ ୨,୧୧୧ଲୋକଙ୍କଠାରୁ ୧୩,୭୯,୭୦୦ଟଙ୍କା ଏବଂ ପ୍ରଦୂଷଣ ପ୍ରମାଣ ପତ୍ର ନଥିବାରୁ ୧,୧୭୭ଗାଡ଼ି ଚାଳକଙ୍କଠାରୁ ୩୮,୧୬,୧୧୦ଟଙ୍କା ଆଦାୟ ହୋଇଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ୪୯୦ଜଣଙ୍କଠାରୁ ୭,୩୮,୧୦୦ଟଙ୍କା ଜରିମାନା ଆକାରରେ ଆଦାୟ ହୋଇଛି। ୨୦୧୮ ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ୮୪୪ଟି ଦୁର୍ଘଟଣା ଘଟିଥିବାବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ୭୦୨ଟି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧ରୁ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାର ମାତ୍ର ୪ଦିନ ଭିତରେ ଓଡ଼ିଶାରେ ସର୍ବାଧିକ ୮୮.୯୦ଲକ୍ଷ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିଲା। ଏହି ସମୟରେ ଟ୍ରାଫିକ ଉଲ୍ଲଘଂନ ଅଭିଯୋଗରେ ୪,୦୮୦ ଚାଲାଣ କଟାଯାଇଥିଲା। ଓଡ଼ିଶା ପଚକୁ ହରିୟାଣା ସରକାର ଟ୍ରାଫିକ ଉଲ୍ଲଘଂନ ଅଭିଯୋଗରେ ୩,୯୦୦ ଚାଲାଣ କାଟିବା ସହିତ ଦ୍ବିତୀୟ ସର୍ବାଧିକ ୫୨.୩୨ ଲକ୍ଷ ଟଙ୍କା ଜରିମାନା ସଂଗ୍ରହ କରିଥିଲା

Comments are closed.