ବ୍ୟବସ୍ଥା ନଥାଇ ଧରପଗଡ଼ କଡ଼ାକଡ଼ି

ଉତ୍ତରଭୁବନେଶ୍ୱର: ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ କଡ଼ାକଡ଼ି ହୋଇଛି। ରଙ୍ଗ୍‌ ରୁଟ୍‌, ଫୋନ୍‌ରେ ଗପିବା, ବିନା ହେଲ୍‌ମେଟ୍‌, ଗୋଟିଏ ଗାଡ଼ିରେ ୩ଜଣ ଯାତାୟାତ କରିବା ଉପରେ କମିସନରେଟ ଟ୍ରାଫିକ୍‌ ପୁଲିସ ଧରପଗଡ଼ କଡ଼ାକଡ଼ି କରିଛି। ଏହାକୁ ଅନେକ ବିରୋଧ କରୁଥିବାବେଳେ ବ୍ୟବସ୍ଥା ନଥାଇ ଏପରି ଧରପଗଡ଼ ଠିକ୍‌ ନୁହେଁ ବୋଲି କେତେକ କହିଛନ୍ତି। ଏପରି କଡ଼ାକଡ଼ିକୁ ଅନେକ ସ୍ୱାଗତ ବି କରିଛନ୍ତି। ଏହାକୁ ନେଇ ବିଭିନ୍ନ ବର୍ଗର ମତାମତ।

ସୁଧାଂଶୁ ଶେଖର ନାୟକ (ଇଞ୍ଜିନିୟର): ସରକାର ଯେଉଁ ମୋଟରଯାନ ଆଇନ ପ୍ରଣୟନ କରିଛନ୍ତି ଏହା ସ୍ୱାଗତଯୋଗ୍ୟ। ଯେଉଁ ପରିମାଣର ଜୋରିମାନା ନିଆଯାଉଛି ତାହା ଅଧିକ ହୋଇଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ସ୍କୁଲ କଲେଜଠାରୁ ଆରମ୍ଭ କରି ମାସ ମାସ ଧରି କାର୍ଯ୍ୟକ୍ରମ କରାଯାଇଛି। ଏହା ପରେବି କୌଣସି ପରିବର୍ତ୍ତନ ହେଉ ନାହିଁ।


ଉମାକାନ୍ତ ପାତ୍ର (ଫ୍ରିଲାନ୍ସ କଲୋନୀ ବାସିନ୍ଦା): ଯଦି ଜଣେ ୨ କି.ମି ବୁଲିବାକୁ ହେଉଛି ସେ ବାଧ୍ୟ ହୋଇ ରଙ୍ଗ୍‌ ରୁଟ୍‌ରେ ଯାଉଛି। ଓମ୍‌ଫେଡ ଓ ବିଡିଏ ଛକରେ ଏକ ଟ୍ରାଫିକ୍‍ ପୋଷ୍ଟ ଅତ୍ୟାବଶ୍ୟକ ଥିବା ବେଳେ ସେଠାରେ ସୁବିଧା ହୋଇପାରି ନାହିଁ। ଡମଣାରୁ କଳିଙ୍ଗ ହସ୍ପିଟାଲ ଛକ ଦୂରତ୍ୱ ଅନୁସାରେ ମଝିରେ କୌଣସି କଟ୍‌ ବା ଟ୍ରାଫିକ୍‍ ପୋଷ୍ଟ ନରହିବାରୁ ସକାଳୁ ରାତ୍ରି ୯ଟା ପର୍ଯ୍ୟନ୍ତ ଟ୍ରାଫିକ୍‍ ଜାମ ହେଉଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।


ପ୍ରତାପ ଚନ୍ଦ୍ର ଦାସ (ଏମବିଏ ଛାତ୍ର): ସରକାର ଯେଉଁ ଆଇନ ପ୍ରଣୟନ କଲେ ତାହା ଠିକ୍‍ ଅଛି; କିନ୍ତୁ ଯେଉଁ ପରିମାଣରେ ଧରପଗଡ଼ ହେବା କଥା ସେଥିପ୍ରତି ଧ୍ୟାନ ଦିଆନଯାଇ ଅଯଥା ବହୁ ପରିମାଣର ଜୋରିମାନା ଆଦାୟ ହେଉଛି। ଆରଟିଓରେ ଲୋକଙ୍କ ଗାଡ଼ି କାଗଜପତ୍ର ମିଳିବା ବିଳମ୍ବିତ ହେଉଛି। ସେ ଦିଗରେ ଦୃଷ୍ଟି ଦିଆଯାଉ ନାହିଁ।


ପ୍ରମୋଦ କୁମାର ପଟ୍ଟନାୟକ (ଟ୍ରାଫିକ୍‍ ଥାନା ଅଧିକାରୀ, ଚନ୍ଦ୍ରଶେଖରପୁର): ମୋଟରଯାନ ଆଇନ ୧୯୮୮ରୁ ଆରମ୍ଭ ହୋଇଛି। ଏବେ ସୁଦ୍ଧା ଏଥିରେ କିଛି ପରିବର୍ତ୍ତନ ହୋଇନାହିଁ। କେବଳ ଜୋରିମାନାର ପରିମାଣ ବୃଦ୍ଧି ପାଇଛି। ଦ୍ୱିତୀୟ କଥା ହେଉଛି ବଡ଼ବଡ଼ ମେଟ୍ରୋ ସିଟିରେ ରାସ୍ତାରେ କଟ୍‌ ନାହିଁ। କଟ୍‌ ରହିଲେ ଟ୍ରାଫିକ୍‍ ସମସ୍ୟା ଏବଂ ଦୁର୍ଘଟଣା ବୃଦ୍ଧି ପାଉଛି। ଲୋକେ ରଙ୍ଗ୍‌ ରୁଟ୍‌ରେ ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ସମୟ ଆସିବ ଏହି କଟ୍‌ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ହେବ। ଭିତ୍ତିଭୂମି ଏବଂ ସମସ୍ତ ବ୍ୟବସ୍ଥା ଠିକ୍‍ ଠାକ୍‍ ଅଛି।

 

Comments are closed.