ପରୋପକାରରେ ହିଁ ଲୁଚି ରହିଛି ପ୍ରକୃତ ଖୁସୀ

ପୁରୁଣା ଲୋକ କଥା ଅନୁଯାୟୀ, କୌଣସି ରାଜ୍ୟରେ ଜଣେ ରାଜକୁମାରୀ ଥିଲେ। ତାଙ୍କ ପାଖରେ ସୁଖ, ସୁବିଧା ଓ କୌଣସି ଦ୍ରବ୍ୟର କିଛି ଅଭାବ ନ ଥିଲା। ଦାସୀମାନେ ସର୍ବଦା ତାଙ୍କ ସେବାରେ ଲାଗି ରହୁଥିଲେ। କିନ୍ତୁ ରାଜକୁମାରୀ ତାଙ୍କ ଜୀବନକୁ ନେଇ ଖୁସୀ ନ ଥିଲେ। ସର୍ବଦା ଦୁଃଖରେ ରହୁଥିଲେ। ସେ ଜାଣି ପାରୁ ନ ଥିଲେ ଯେ, କ’ଣ କଲେ ସେ ନିଜେ ଖୁସୀରେ ରହିପାରିବେ।

ଥରେ ରାଜକୁମାରୀ ଭାବିଲେ ଯେ, ଖୁସୀ ନ ଥିବା ଜୀବନ ରଖି କିଛି ଲାଭ ନାହିଁ। ତେଣୁ ସେ ମରିବା ପାଇଁ ପାହାଡ ଉପରକୁ ଚାଲିଗଲେ। ରାସ୍ତାରେ ଦେଖିଲେ ​‌ଯେ, ଜଣେ ବୃଦ୍ଧ ବ୍ୟକ୍ତି କୁକୁରଙ୍କୁ ଖାଦ୍ୟ ଖୁଆଉଛନ୍ତି। ଏହାସହ ସେମାନଙ୍କର ଦେଖାଶୁଣା କରୁଛନ୍ତି। ବୃଦ୍ଧ ଜଣକ ଖୁବ୍ ଖୁସୀ ଜଣାପଡୁଥିଲେ। ତାଙ୍କ ଜୀବନରେ କୌଣସି ଅସୁବିଧା ନ ଥିଲା। ଏହା ଦେଖି ରାଜକୁମାରୀ ବୃଦ୍ଧଙ୍କ ନିକଟକୁ ଯାଇ ନିଜ ବିଷୟ​‌ରେ କହିଲେ ଓ ପଚାରିଲେ ଯେ ବାବା ତୁମେ ଏତେ ଖୁସୀରେ ରହିବାର କାରଣ କ’ଣ ?

ବୃଦ୍ଧ ଜଣକ ରାଜକୁମାରୀଙ୍କୁ କହିଲେ ଯେ, କିଛି ଦିନ ପୂର୍ବେ ଏକ ଦୁର୍ଘଟଣାରେ ମୋ ପତ୍ନୀ ଓ ପିଲାଙ୍କ ମୃତ୍ୟୁ ହୋଇଯାଇଛି। ଏହାପରେ ମୁଁ ଖୁବ୍ ନିରାଶ ଥିଲି ମରିବାକୁ ଇଚ୍ଛା କରୁଥିଲି। ଥରେ ମୁଁ ମରିବା ପାଇଁ ଯାଉଥିବା ବେଳେ ରାସ୍ତାରେ ଏକ କୁକୁର ଛୁଆ ମୋ ପଛେ ପଛେ ଆସିଲା। ମୁଁ ତା ଠାରୁ ରକ୍ଷା ପାଇବା ପାଇଁ ଦୌଡି ଦୌଡି ମୋ ଘରକୁ ଆସିଗଲି। କିନ୍ତୁ କୁକୁର ଛୁଆ ମଧ୍ୟ ମୋ ପଛେ ପଛେ ଆସିଗଲା। ଏହା ଦେଖି ମୁଁ କବାଟ ବନ୍ଦ କରିଦେଲି। କିଛି ସମୟ ପରେ କବାଟ ଖୋଲି ଦେଖିବା ବେଳକୁ କୁକୁର ଛୁଆଟି ସେମିତି ମୋ ଘର ପାଖରେ ଛିଡା ହୋଇ ଥଣ୍ଡା କମ୍ପୁଛି। ଏହା ଦେଖି କୁକୁର ଛୁଆ ଉପରେ ମୋର ଦୟା ହେଲା। ତାପରେ ମୁଁ କୁକୁର ଛୁଆଟି ଉପରେ କମ୍ବଳ ଘୋଡାଇ ତାକୁ କ୍ଷୀର ପିଇବାକୁ ଦେଲି। କିଛି ସମୟ ପରେ କୁକୁର ଛୁଆଟି ସୁସ୍ଥ ହୋଇଗଲା। ଏହା ଦେଖି ମୋତେ ବହୁତ ଖୁସୀ ଲାଗିଲା।

ସେହି ଦିନ ମୁଁ ବୁଝିଗଲି ଯେ, ମୁଁ ଦୁଃଖରେ ରହିଲେ ମଧ୍ୟ ଅନ୍ୟମାନଙ୍କୁ ଖୁସୀ ଦେବାକୁ ଚେଷ୍ଟା କରିବି। ସେହି ଦିନ ଠାରୁ ମୁଁ ଏହି କୁକୁରମାନଙ୍କ ସେବା କରି ଖୁସୀ ପାଉଛି।

ରାଜକୁମାରୀ ବୃଦ୍ଧଙ୍କ ଠାରୁ ଏକଥା ଶୁଣି ଜାଣିଗଲେ ଯେ, ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ଉପକାର କରିବା ଉଚିତ। ଏହାଦ୍ବାରା ପ୍ରକୃତ ଖୁସୀ ମିଳିବ। ରାଜକୁମାରୀ ସେହି ଦିନ ଠାରୁ ଗରିବମାନଙ୍କ ସେବା କରିବାକୁ ଲାଗିଲେ।

ଶିକ୍ଷଣୀୟ କଥା :

ଯଦି ଆମେ ଜୀବନରେ ପ୍ରକୃତ ଖୁସୀ ପାଇବାକୁ ଇଚ୍ଛୁକ ତେବେ ପରୋପକାର କରି ସେମାନଙ୍କ ସେବା କରିବା ଉଚିତ। ଏହାଦ୍ବାରା ନିଜକୁ ଆତ୍ମସନ୍ତୋଷ ମିଳିବା ସହ ଖୁସୀ ମିଳିଥାଏ।

 

Comments
Loading...