ମଦର ଟେରେସା ମିଶନାରିଜ ଅଫ ଚାରିଟିକୁ ପୁନଃ ମିଳିବ ବିଦେଶୀ ପାଣ୍ଠି

ନୂଆଦିଲ୍ଲୀ: ମଦର ଟେରେସା ମିଶନାରିଜ ଅଫ ଚାରିଟିକୁ ବିଦେଶୀ ପାଣ୍ଠି ପୁନର୍ବାର ମିଳିବ । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମିଶନାରିଜର ବିଦେଶୀ ପାଣ୍ଠି ସଂଗ୍ରହ ଲାଇସେନ୍ସ ପୁନଃ ବାହାଲ କରିଛନ୍ତି । ପୂର୍ବରୁ ବିଦେଶରୁ ମିଳୁଥିବା ପାଣ୍ଠିର ଅପବ୍ୟବହାର ହେଉଥିବା ନେଇ କେତେକ ରିପୋର୍ଟ ମିଳିବା ପରେ କେନ୍ଦ୍ର ସରକାର ଏହିଭଳି ପାଣ୍ଠି ପାଉଥିବା ସଂସ୍ଥାଗୁଡିକର ଏଫସିଆରଏ ପଞ୍ଜିକରଣ ନବିକରଣ କରିବାକୁ ମନା କରିଦେଇଥିଲେ । ସେଥିମଧ୍ୟରେ ନୋବେଲ ପୁରସ୍କର ବିଜୟିନୀ ମଦର ଟେରେସାଙ୍କର ମିଶନାରିଜ ଅଫ ଚାରିଟି ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ତେବେ ଉକ୍ତ ସଂସ୍ଥା ପକ୍ଷରୁ କେତେକ ଆବଶ୍ୟକ କାଗଜପତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯିବା ପରେ ସରକାର ଏହାକୁ ବିଦେଶୀ ଅନୁଦାନ ପ୍ରାପ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମିଶନାରିଜ ଅଫ ଚାରିଟିର ବିଦେଶୀ ଅନୁଦାନ ନିୟନ୍ତ୍ରଣକାରୀ ଆଇନ (ଏଫସିଆରଏ) ପଞ୍ଜିକରଣ ଅବଧି ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଥିଲା । ତେବେ ତାହାକୁ ସରକାରଙ୍କ ପକ୍ଷରୁ ନବିକରଣ କରାଯାଇନଥିଲା । ତେବେ ଉକ୍ତ ସଂଗଠନର କୌଣସି ବ୍ୟାଙ୍କ ଆକାଉଣ୍ଟକୁ ସରକାରଙ୍କ ପକ୍ଷରୁ ଅଚଳ ମଧ୍ୟ କରାଯାଇନଥିଲା । ଅବଶ୍ୟ ସଂଗଠନ ପକ୍ଷରୁ ଏହାର ସମସ୍ତ ଶାଖାକୁ ବିଦେଶୀ ଅନୁଦାନ ଆସୁଥିବା ଆକାଉଣ୍ଟଗୁଡିକୁ ପରିଚାଳନା ନକରିବାକୁ ପରାମର୍ଶ ଦିଆଯାଇଥିଲା । ପରେ ଏହା ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ କେନ୍ଦ୍ର ସରକାର ଏହି ସଂସ୍ଥାକୁ ବିଦେଶୀ ଅନୁଦାନ ପ୍ରାପ୍ତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

Comments are closed.