ସିଏ ମା’ – ସାମ୍ବାଦିକ ପୁଅକୁ କରେଣ୍ଟ ଆଘାତରୁ ବଞ୍ଚାଇଲେ ୬୨ ବର୍ଷୀୟ ଜନ୍ମଦାତ୍ରୀ

ନୀଳଗିରି: ଷ୍ଟାବିଲାଇଜରରେ ବିଦ୍ୟୁତ ଆଘାତ ଖାଇ ଛଟପଟ ହେଉଥିବା ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ଜଣେ ସାମ୍ବାଦିକଙ୍କୁ ତାଙ୍କ ମା’ କରେଣ୍ଟ ଖାଇ ମଧ୍ୟ ଉପସ୍ଥିତ ବୁଦ୍ଧି ଜୁଟାଇ ପୁଅକୁ ବଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନୀଳଗିରି ଥାନା ଅଧୀନ ଗୋପୀନାଥପୁର ଅଞ୍ଚଳର ବ୍ରଜକିଶୋର ପାଣି (୪୨) ନାମକ ଜଣେ ସାମ୍ବାଦିକ ବୁଧବାର ଅପରାହ୍ନରେ ତାଙ୍କ ଘରେ ଲୋ ଭୋଲ୍ଟେଜ ପାଇଁ ଷ୍ଟାବିଲାଇଜର ଦେଇ ଇନଭର୍ଟର ସଂଯୋଗ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତ ଯୋଗୁ ତାଙ୍କୁ ଷ୍ଟାବିଲାଇଜର ଟାଣି ରଖିଥିଲା। ଚିତ୍କାର ଶୁଣି ତାଙ୍କ ମା’ ଅନ୍ନପୂର୍ଣ୍ଣା ପାଣି (୬୨) ପୁଅକୁ ଟାଣିବାକୁ ଚେଷ୍ଟା କରୁଥିବା ସମୟରେ ସେ ମଧ୍ୟ ଆଘାତପ୍ରାପ୍ତ ହୋଇ ତଳେ କଚାଡ଼ି ପଡ଼ିଥିଲେ। ତଥାପି ସେହି ସମୟରେ ଉପସ୍ଥିତ ବୁଦ୍ଧି ଜୁଟାଇ ସେ ଘରେ ଲାଗିଥିବା ମେନ ସୁଇଚକୁ ବନ୍ଦ କରିଦେବାକୁ ସାମ୍ବାଦିକ ଶ୍ରୀ ପାଣି ଛିଟକି ତଳେ ପଡ଼ିଯାଇଥିଲେ।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲକୁ ଆଣି ଚିକିତ୍ସା କରାଇଛନ୍ତି। ଏହି ବିଦ୍ୟୁତ ଆଘାତ ଯୋଗୁ ତାଙ୍କ ଆଙ୍ଗୁଳି, ଗୋଡ଼, ହାତ ଓ ଦେହରେ ଗଭୀର ଆଘାତ ଲାଗିଛି। ଖବରପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସାମ୍ବାଦିକ ଅତୁଲ ସ, ଭଗବାନ ମହଲ, ଜଗନ୍ନାଥ ପାତ୍ର, ପ୍ରଶାନ୍ତ ବିଶ୍ୱାଳ, ପ୍ରିୟନାଥ ବେହେରା, ବିଶ୍ୱମ୍ବର ଦାସ ପ୍ରମୁଖ ପହଞ୍ଚି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.