ପିଲାଙ୍କ କାନ୍ଦଣାରେ କୋମାରୁ ଫେରିଲେ ମା’

ମା-ପିଲାଙ୍କ ସମ୍ପର୍କକୁ ଭାଷାରେ ବର୍ଣ୍ଣନା କରିବା ଆଦୌ ସହଜ ନୁହେଁ। ଏଇ କଥା କହିଛନ୍ତି ବ୍ରିଟେନ୍‌ନିବାସୀ ମହିଳା ପ୍ରିପେଚୁଆଲ୍ ଇଉକି। ବ୍ରିମିଂହାମ୍ ସିଟି ହସ୍ପିଟାଲ୍‌ରେ ରୁମାଟୋଲୋଜି ବିଶେଷଜ୍ଞ ଭାବେ ସେ କାମ କରନ୍ତି। ୨୦୧୯ ଶେଷଆଡ଼କୁ ସେ ଗର୍ଭବତୀ ଥିବାର ପରୀକ୍ଷା କରି ଜାଣିପାରିଲେ। ଖୁବ୍ ଖୁସି ଥିଲେ ସେ ଓ ତାଙ୍କ ସ୍ବାମୀ। କାରଣ ଏଥରକ ସେ ଯମଜ ସନ୍ତାନର ମା’ ହେବାର ସୌଭାଗ୍ୟ ପାଇବାକୁ ଯାଉଥିଲେ। ତାଙ୍କର ୯ ବର୍ଷର ଝିିଅ ଓ ୭ ବର୍ଷର ପୁଅ ଥିବାବେଳେ ସେ ତୃତୀୟଥ ପାଇଁ ଗର୍ଭବତୀ ହୋଇଥିଲେ। କରୋନା ଭୟାବହତା ମାର୍ଚ୍ଚ ଆରମ୍ଭରୁ ବ୍ରିଟେନ୍‌ରେ ବଢ଼ିଥିଲା। ସତର୍କତାର ସହ ଇଉକି ଦୈନିକ ଚିକିତ୍ସାଳୟ ଯା-ଆସ କରି ଦାୟିତ୍ବ ନିର୍ବାହ କରୁଥିଲେ। ଏହା ସତ୍ତ୍ବେ ସେ କରୋନାରେ ଆକ୍ରାନ୍ତ ହେଲେ। ତାଙ୍କ ସ୍ଥିତି ମଧ୍ୟ ଉଦ୍‌ବେଗଜନକ ଥିଲା।

କରୋନାରେ ଚିକିତ୍ସିତ ହେଉଥିବା ସମୟରେ ସେ କୋମାକୁ ଚାଲିଗଲେ। ଡାକ୍ତରୀ ଦଳ ଆପୋଷ ବିଚାର ସହ ଅପରେସନ୍‌ କରି ଗର୍ଭସ୍ଥ ଶିଶୁଙ୍କୁ ଜନ୍ମଦେବାକୁ ନିଷ୍ପତ୍ତି ନେଲେ। ମାତ୍ର ୨୬ସପ୍ତାହରେ ଇଉକିିଙ୍କ ପିଲା ଜନ୍ମ ନେବା ସହ ପ୍ରି-ମ୍ୟାଚୁଅର୍ ହୋଇଥିବା କାରଣରୁ ସେମାନଙ୍କୁ ଇନକ୍ୟୁବେଟରରେ ରଖାଗଲା। ଅନ୍ୟ ପାଖେ ଇଉକିଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖାଯାଉନଥିଲା। ତାଙ୍କ ଡାକ୍ତର ବନ୍ଧୁମାନେ ଇଉକିଙ୍କ ନବଜନ୍ମିତ ପୁଅ-ଝିଅଙ୍କ କାନ୍ଦଣା ସ୍ବରକୁ ରେକର୍ଡିଂ କରିଲେ। କୋମାରେ ଥିବା ଇଉକିଙ୍କୁ ଦୈନିକ ଏସବୁ ଶୁଣାଇବା ପରେ ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଲା। ପାଖାପାଖି ୩ ମାସ ପରେ ଇଉକି ସୁସ୍ଥ ହୋଇ କୋମାରୁ ବାହାରିଲେ। ନବଜନ୍ମିତ ପିଲାଙ୍କୁ ଇନକ୍ୟୁବେଟର୍‌ରେ ଦେଖି ସେ କାନ୍ଦି ପକାଇଲେ। ଏଇ ପିଲାଙ୍କ ପାଇଁ ସେ ପୁନର୍ଜନ୍ମ ପାଇଥିବାର କହିଛନ୍ତି ଇଉକି।

Comments are closed.