ଜୁନ୍ ୧୫ଯାଏ ସକାଳୁଆ ଅଫିସ
୬ସହର କଟକଣାରୁ ବାଦ୍

ଭୁବନେଶ୍ବର : ଆସନ୍ତା ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କାର୍ଯ୍ୟାଳୟ ସକାଳୁଆ ହେବ। ପ୍ରତ୍ୟେକ କାର୍ଯ୍ୟାଳୟ ପୂର୍ବାହ୍ନ ୭ଟାରେ ଖୋଲିବ ଏବଂ ଅପରାହ୍ନ ୧ଟାରେ ବନ୍ଦ ହେବ। ଏହି ସମୟ ମଧ୍ୟରେ କାର୍ଯ୍ୟାଳୟରେ କୌଣସି ପ୍ରକାର ମଧ୍ୟାହ୍ନ ବିରତି ହେବନାହିଁ ବୋଲି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ଏନେଇ ସୋମବାର ସବୁ ଜିଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ଯେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୃହବିଭାଗର ୨୦୦୬ ମସିହା ନିର୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୦ରୁ ଜୁନ୍ ୧୫ ଯାଏଁ ସକାଳୁଆ କାର୍ଯ୍ୟାଳୟ ହେବା କଥା। ହେଲେ କେତେକ କ୍ଷେତ୍ରରେ ଏହି ନିୟମ ପାଳନ ହେଉ ନଥିବା ଅଭିଯୋଗ ହେଉଛି। ତେବେ କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର, କୋରାପୁଟ ଏବଂ ଭୁବନେଶ୍ବରରେ କାର୍ଯ୍ୟାଳୟ ଯେଭଳି ଚାଲୁଛି ଠିକ୍ ସେହିପରି ଚାଲୁ ରହିବ। ତେବେ କୋଭିଡ଼-୧୯ ପାଇଁ ଏହି ନିୟମରେ କୌଣସି ବ୍ୟତିକ୍ରମ ହେବନାହିଁ। ଯଦି ଏହି ନିୟମରେ କୌଣସିଠାରେ ବ୍ୟତିକ୍ରମ ହେଉଥିବା ଦୃଷ୍ଟିକୁ ଆସିବ ତେବେ ତୁରନ୍ତ ଅବଗତ କରାଇବାପାଇଁ ଶ୍ରୀ ମହାପାତ୍ର ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି