ଅଲିମ୍ପିକ୍‌ସରେ ଟି୧୦ କ୍ରିକେଟ୍‌ ସାମିଲ କରିବାକୁ ମୋର୍ଗାନ୍‌ଙ୍କ ପ୍ରସ୍ତାବ

ଲଣ୍ଡନ୍: କ୍ରୀଡ଼ା ମହାକୁମ୍ଭ ଭାବେ ପରିଚିତ ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। ଏହି ଦାବି ସହ ସ୍ବର ମିଶାଇଛନ୍ତି ବିଶ୍ବ ବିଜୟୀ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଇଅନ୍‌ ମୋର୍ଗାନ୍‌। ଅଲିମ୍ପିକ୍‌ସରେ ଟି୧୦ କ୍ରିକେଟ୍‌କୁ ସାମିଲ କରିବାକୁ ମୋର୍ଗାନ୍‌ ପ୍ରସ୍ତାବ ଦେଇଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ମୋର୍ଗାନ୍‌ କହିଛନ୍ତି ଅଲିମ୍ପିକ୍‌ସରେ ଟି୧୦ ଫର୍ମାଟ୍‌ରେ କ୍ରିକେଟ୍‌କୁ ସାମିଲ କରା ଯାଇପାରିବ। ଏହି ଫର୍ମାଟ୍‌ରେ ପ୍ରତି ମ୍ୟାଚ୍‌ ୨୦ ଓଭର ବିଶିଷ୍ଟ ହେବ ଏବଂ ୧୦ ଦିନ ମଧ୍ୟରେ ସବୁ ମ୍ୟାଚ୍‌ ଶେ​‌ଷ ହୋଇଯିବ। ଏପରି ହେଲେ ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରିବାକୁ ନେଇ ଯେଉଁ ସମସ୍ୟା ରହିଛି ତାହା ସମାଧାନ ହୋଇପାରିବ। ଟି୧୦ ଫର୍ମାଟ୍‌ରେ ମ୍ୟାଚ୍‌ ଆୟୋଜନ ହେଲେ ଦର୍ଶକମାନେ ବିସ୍ଫୋରକ କ୍ରିକେଟ୍‌ ଦେଖିବାର ସୁଯୋଗ ପାଇବେ ବୋଲି ମୋର୍ଗାନ୍‌ ସ୍ପଷ୍ଟ କରି ଦେଇଛନ୍ତି।

ସୂଚନାଥାଉକି ମୋର୍ଗାନ୍‌ ଆବୁଧାବି ଟି୧୦ କ୍ରିକେଟ୍‌ ଲିଗ୍‌ରେ ଦିଲ୍ଲୀ ବୁଲ୍‌ସ ଦଳର ନେତୃତ୍ବ ନେଇ ସାରିଛନ୍ତି। ଆଇପିଏଲ୍ ଭଳି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଟି୨୦ ଫର୍ମାଟ୍‌ରେ ଖେଳାଯାଇ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ବର୍ତ୍ତମାନ ଟି୧୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ କେତେକ ଦେଶର କ୍ରିକେଟ୍ ବୋର୍ଡ ଆଗେଇ ଆସିଛନ୍ତି।

Comments are closed.