ଚଳିତ ମୌସୁମୀ ବର୍ଷା ଓ ବନ୍ୟାରେ ପ୍ରାଣ ହରାଇଛନ୍ତି ୨ ହଜାର ୧୧୫ ଜଣ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ବର୍ଷା ଓ ତଦ ଜନିତ ବନ୍ୟାରେ ସାରା ଦେଶରେ ୨ ହଜାର ୧୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗୃହ ମନ୍ତ୍ରାଳୟ ପାଖରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୨୨ ରାଜ୍ୟରେ ମୌସୁମୀ ବର୍ଷା ଓ ବନ୍ୟା ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୩୬୨ଟି ଜିଲ୍ଲା ବନ୍ୟା ଏବଂ ଭୂସ୍ଖଳନ ଘଟଣାରେ ପ୍ରଭାବିତ ହୋଇଥିଲା ଏବଂ ଏଠି ଯୋଗୁ ମହାରାଷ୍ଟ୍ରରେ ସର୍ବାଧିକ ୩୬୨ ଜଣକ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୨୨୭ ଜଣଙ୍କ ପ୍ରାଣହାନୀ ଘଟିଛି।

ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ଦେଶରେ ୮୦୩ ଜଣ ଲୋକ ଆହତ ହୋଇଥିବା ବେଳେ ୨୦ ହଜାର ଗୃହପାଳିତ ପଶୁ ନିଖୋଜ ହୋଇଛନ୍ତି। ୨ ଲକ୍ଷ ୨୩ ହଜାର ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଲକ୍ଷ ୬ ହଜାର ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ମୋଟ ୧୪ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ଭାରତ ମୌସୁମୀ ବିଜ୍ଞାନ ବିଭାଗ ଅନୁଯାୟୀ ଗତ ସେପ୍ଟେମ୍ବର ୩୦ରୁ ମୌସୁମୀ ବାୟୁ ଦେଶରେ ନିଷ୍କ୍ରିୟ ହୋଇଥିବା ବେଳେ ଗତ ୪ ମାସ ମଧ୍ୟରେ ହୋଇଥିବା ବର୍ଷା ୧୯୯୪ ପରେ ସର୍ବାଧିକ। ସୂଚନା ଅନୁଯାୟୀ ମହାରାଷ୍ଟ୍ରର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୪୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୮ ଜଣ ଆହତ ହୋଇଥିଲେ ଏବଂ ୭ ଲକ୍ଷ ୧୯ ହଜାର ବନ୍ୟା ପ୍ରପୀଡ଼ିତଙ୍କୁ ୩୦୫ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ପଶ୍ଚିମବଙ୍ଗର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଥିଲେ, ୪ ଜଣ ନିଖୋଜ ହୋଇଥିଲେ ଏବଂ ୪୩ ହଜାର ୪୩୩ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ୨୮୦ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ବିହାରର ୨୮ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଥିଲେ, ୪ ଜଣ ନିଖୋଜ ହୋଇଥିଲେ ଏବଂ ୧ ଲକ୍ଷ ୯୬ ହଜାର ବନ୍ୟା ପ୍ରପୀଡ଼ିତଙ୍କୁ ୨୮୨ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା।

ମଧ୍ୟପ୍ରଦେଶର ୩୮ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଥିଲେ ଏବଂ ୩୨ ହଜାର ୯୯୬ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ୯୮ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। କେରଳର ୧୩ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୧୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଆହତ ହୋଇଥିଲେ, ୧୫ ଜଣ ନିଖୋଜ ହୋଇଥିଲେ ଏବଂ ୪ ଲକ୍ଷ ୪୬ ହଜାର ବନ୍ୟା ପ୍ରପୀଡ଼ିତଙ୍କୁ ୨ ହଜାର ୨୨୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଗୁଜୁରାଟର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିଲେ ଏବଂ ୧୭ ହଜାର ୭୮୩ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ୧୦୨ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। କର୍ଣ୍ଣାଟକର ୧୬ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୨୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଆହତ ହୋଇଥିଲେ, ୬ ଜଣ ନିଖୋଜ ହୋଇଥିଲେ ଏବଂ ୨ ଲକ୍ଷ ୪୮ ଜଣ ବନ୍ୟା ପ୍ରପୀଡ଼ିତଙ୍କୁ ୩ ହଜାର ୨୬୧ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଆସାମର ମଧ୍ୟ ୩୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିଲା ଓ ସେଥିରେ ୧୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଲକ୍ଷ ୩୫ ହଜାର ବନ୍ୟା ପ୍ରପୀଡ଼ିତଙ୍କୁ ୧ ହଜାର ୩୫୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.