ବିଧାନସଭାରେ ଖାଲି ପଡିଛି ଅଧାରୁ ଅଧିକ ପଦ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ଅଧାରୁ ଅଧିକ ପଦବୀ ଖାଲି ପଡିଥିବା ବେଳେ ନୂଆ ସରକାର ଗଠନ ପରେ ବିଧାନସଭା କିଭଳି ପରିଚାଳନା ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭା ପରିଚାଳନା କ୍ଷେତ୍ରରେ ଯୁଗ୍ମ ଶାସନ ସଚିବ, ଉପ ଶାସନ ସଚିବ ଓ ଅନୁଶାସନ ସଚିବମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ବେଳେ ଏହି ପଦବୀ ଗୁଡିକ ବହୁ ସଂଖ୍ୟାରେ ଖାଲି ପଡିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବିଧାନସଭାର ୫ଟି ମଞ୍ଜୁରୀ ପ୍ରାପ୍ତ ଯୁଗ୍ମ ଶାସନ ସଚିବ ପଦବୀ ମଧ୍ୟରୁ ୩ଟି ପଦବୀ ଖାଲି ଥିବା ବେଳେ ୫ଟି ଉପଶାସନ ସଚିବ ଓ ୬ଟି ଅନୁଶାସନ ସଚିବ ପଦବୀ ଖାଲି ପଡିଛି।

ଅନ୍ୟପକ୍ଷରେ ୭ଟି ଡେକ୍ସ ଅଫିସର ପଦବୀ ମଧ୍ୟରୁ ୨ଟି, ୧୪ ଟି ସେକ୍ସନ୍‍ ଅଫିସର ପଦବୀ ମଧ୍ୟରୁ ୭ଟି, ଗୋଟିଏ ଲ ଅଫିସର ଏବଂ ଗୋଟିଏ ସହକାରୀ ଲ’ ଅଫିସର ପଦବୀ ଖାଲି ରହିଛି। ଏହା ଛଡା ବିଲ୍‍ ସେକ୍ସନରର ବିଲ୍‍ ଏକଜାମିନର ଓ ଚିଫ୍‍ ଏକଜାମିନର ପଦବୀ ସହ ଆସେମ୍ଲି ରିପୋର୍ଟର ୧୪ଟି ପଦବୀ ମଧ୍ୟରୁ ୫ଟି ଖାଲି ରହିଛି।ବିଧାନସଭା କାର୍ଯ୍ୟାଳୟରେ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ମଧ୍ୟ କୌଣସି ପଦୋନ୍ନତି ଦିଆଯାଇନାହିଁ। ତେବେ ବିଧାନସଭା ସଚିବ ପଦବୀରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ରଖାଯାଇଥିଲା ଓ ତାଙ୍କ କାର୍ଯ୍ୟକାଳ ଏକାଧିକବାର ସମ୍ପ୍ରସାରଣ କରାଯାଇଥିଲା। କିନ୍ତୁ ପୁନର୍ବାର ତାଙ୍କ କାର୍ଯ୍ୟକାଳ ପୁଣି ସମ୍ପ୍ରସାରଣ ନେଇ ଦିଆଯାଇଥିବା ପ୍ରସ୍ତାବ ରାଜ୍ୟପାଳ ଗ୍ରହଣ କରିନଥିଲେ।

Comments are closed.