‘ମୋ ସ୍କୁଲ’ରେ ଯୋଡ଼ି ହେଲେଣି ୪ ଲକ୍ଷ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ‘ମୋ ସ୍କୁଲ ଅଭିଯାନ’ର ୨୨ତମ କାର୍ୟ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୮ଟି ଜିଲାର ୩୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ମାସକ ମଧ୍ୟରେ ୬୧,୧୨୦ ପୁରାତନ ଛାତ୍ରଛାତ୍ରୀ ଅଭିଯାନ ସହ ଯୋଡି ହୋଇଥିବା ଓ ସେମାନେ ବିଦ୍ୟାଳୟର ବିକାଶ ପାଇଁ ୧୦.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏଯାବତ୍ ୪ ଲକ୍ଷ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ସାମିଲ ହୋଇଥିବାବେଳେ ରାଜ୍ୟରେ ମୋଟ ୨୬ ହଜାର ସ୍କୁଲ ଏହି କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଛି।

ଚଳିତ ଆର୍ଥିକ ବର୍ଷ ଫେବୃଆରୀ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବୈଠକରେ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ପବ୍ଲିକ୍ ଡିସ୍କ୍ଲୋଜର୍ ଏବଂ ସୋସିଆଲ୍ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟସ୍ତରର କାର୍ୟ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟୟବରାଦ ଏବଂ ପ୍ରକଳ୍ପର ସମସ୍ତ ବିବରଣୀ ସର୍ବସାଧାରଣଙ୍କୁ ଅବଗତ କରାଯିବ। ସ୍କୁଲର ମାଇକ୍ରୋ େୱବ୍ସାଇଟ୍ରେ ଏନେଇ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ପ୍ରକଳ୍ପ କାର୍ୟ୍ୟକାରିତାରେ ଅଧିକ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର ଅଡିଟରଙ୍କଦ୍ୱାରା ବିଦ୍ୟାଳୟର ସମସ୍ତ ପ୍ରକଳ୍ପର ଅଡିଟ୍ କରାଯିବ। କିଣାଯାଇଥିବା ସମସ୍ତ ଆସବାବପତ୍ର ପାଇଁ ସ୍ବତନ୍ତ୍ର ରେଜିଷ୍ଟର ବ୍ୟବସ୍ଥା କରାଯିବ।

ପୋଷ୍ୟ ବିଦ୍ୟାଳୟ ସମ୍ବନ୍ଧରେ ଆସନ୍ତା ମାର୍ଚ୍ଚରେ ଜିଲାସ୍ତରୀୟ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ୟ୍ୟନ୍ତ ୯୭୯୭ଟି ପ୍ରକଳ୍ପ ସରିଥିବାବେଳେ ୨୩୮୦ଟି ପ୍ରକଳ୍ପ କାର୍ୟ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ।

Comments are closed.