ଭୟଙ୍କର ହେଉଛି କରୋନା: ୭ ଦିନରେ ୧ ଲକ୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ଦେଶରେ ଦୈନିକ ସଂକ୍ରମଣ ଶନିବାର ୧୮ ହଜାର ଅତିକ୍ରମ କରିଛି। ଅର୍ଥାତ ଗୋଟିଏ ଦିନରେ ୧୮ ହଜାର ୫୫୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହକ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଲେଣି, ଯାହା ଚିନ୍ତାର ବିଷୟ ପାଲଟିଛି।

ଗତ ୨୧ ତାରିଖରେ ୨୪ ଘଣ୍ଟା ମଧ୍ୟରେ ୧୪ ହଜାରରୁ ଅଧିକ ରୋଗୀ ଚିହ୍ଟଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ୨୨ ତାରିଖରେ ୧୪ ହଜାର ୮୨୧ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୩ ତାରିଖରେ ୧୪ ହଜାର ୯୩୧ ସଂକ୍ରମିତ, ୨୪ ତାରିଖରେ ୧୫ ହଜାର ୯୬୯ ସଂକ୍ରମିତ, ୨୫ ତାରିଖରେ ୧୬ ହଜାର ୯୨୨ ସଂକ୍ରମିତ, ୨୬ ତାରିଖରେ ୧୭ ହଜାର ୨୯୬ ରୋଗୀ ଏବଂ ୨୭ ତାରିଖରେ ୧୮ ହଜାର ୫୫୨ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅର୍ଥାତ ଏହି ୭ ଦିନରେ ୧ ଲକ୍ଷ ୧୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ଦେଶରେ ମୃତ୍ୟୁ ସଂଖ୍ୟା ୧୫ ହଜାର ୬୮୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮୪ ଜଣ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍‌ସାଇଟରେ ସୂଚନା ଦିଆଯାଇଛି।

Comments are closed.