ପଞ୍ଜାବରେ ଏକାଧିକ ଆତଙ୍କି ଆକ୍ରମଣ ନେଇ ସତର୍କ ସୂଚନା

ଅମୃତସର: ପଞ୍ଜାବରେ ୨୦୨୨ରେ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଏକାଧିକ ଆତଙ୍କି ଆକ୍ରମଣ ହୋଇପାରେ । ଏହିଭଳି ସତର୍ସ ସୂଚନା ଜାରି କରିଛନ୍ତି ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା । ସୂଚନାଯୋଗ୍ୟ ଯେ ଗୁରୁବାର ଦି ଲୁଧିଆନ।।ର ଏକ ଅଦାଲତରେ ଆଇଇଡି ବିସ୍ଫୋରଣ ଘଟିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ପଞ୍ଜାବ ପୁଲିସ ସର୍ବତ୍ର କଡା ସତର୍କ ଦୃଷ୍ଟି ରଖିବା ସହିତ ସାମାଜିକ ଗଣମାଧ୍ୟମଗୁଡିକ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆନ୍ତର୍ଜାତିକ ସଂସ୍ଥାଗୁଡିକ ନିକଟରୁ ଏହି ସୂଚନା ମିଳିବା ପରେ ପଞ୍ଜାବ ପୁଲିସକୁ ଆବଶ୍ୟକ ପରାମର୍ଶ ଦେବାକୁ ଦେଶର କେତେକ ସୁରକ୍ଷା ପରାମର୍ଶଦାତାଙ୍କୁ ସେଠାକୁ ପଠାଯାଇଛି । କେନ୍ଦ୍ରୀୟ ସଂସ୍ଥାଗୁଡିକ ରାଜ୍ୟ ପୁଲିସ ବାହିନୀ ଏବଂ ସ୍ଥାନୀୟ ଗୁଇନ୍ଦା ସହିତ ମିଶି ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଏଡାଇବାକୁ କାର୍ଯ୍ୟ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସାଂପ୍ରତିକ ପରିସ୍ଥିତିରେ ଜମ୍ମୁ କାଶ୍ମୀର ଅପେକ୍ଷା ପଞ୍ଜାବ ଅଧିକ ସମ୍ବେଦନଶୀଳ ହୋଇଉଠିଛି । ଏହି ଅଧିକାରୀ କହିଛନ୍ତି, ରାଜ୍ୟ ଗୁଇନ୍ଦା ଅଧିକାରୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବାସହିତ ରାଜ୍ୟରେ ଆତଙ୍କି କାର୍ଯ୍ୟକଳାପକୁ ନେଇ ସେମାନଙ୍କୁ ସତର୍କ କରାଇ ଦିଆଯାଇଛି । ସେମାନେ ପରିସ୍ଥିତି ଉପରେ ତୀକ୍ଷ୍‍ଣ ନଜର ରଖିବା ସହିତ ସାମାଜିକ ଗଣମାଧ୍ୟମଗୁଡିକରେ କିଛି ଗୁଜବ ପ୍ରଚାରିତ ହେଉଛି କି ନାହିଁ ତାହା ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି । ଲୁଧିଆନା ଅଦାଲତରେ ଘଟିଥିବା ବିସ୍ଫୋରଣରେ ଜଣେ ପ୍ରାଣ ହରାଇବା ସହିତ ୬ ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଜଣକ ବୋମା ଅଥବା ବିସ୍ଫୋରକ ଖଞ୍ଜିବା କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ପୁଲିସ ସନ୍ଦେହ କରୁଛି । ଇତିମଧ୍ୟରେ କେନ୍ଦ୍ର ସରକାର ଏହି ଘଟଣା ଉପରେ ପଞ୍ଜାବ ସରକାରଙ୍କ ନିକଟରୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ।

Comments are closed.