ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଘୋଷଣା କରାଯାଉଥିବା ତାଲାବନ୍ଦ ଦ୍ୱାରା ବ୍ୟବସାୟ, ନିଯୁକ୍ତି ଏବଂ ସମୁଦାୟ ଅର୍ଥନୀତି ନଷ୍ଟ ହେଉଛି । କରୋନା ଭୂତାଣୁ ସଂକ୍ରମଣକୁ ସଠିକ ଭାବରେ ନିୟନ୍ତ୍ରଣ ନକରି ଏଭଳି ତାଲାବନ୍ଦ କରାଗଲେ ତାହା ଅର୍ଥନୀତି ଓ ନିଯୁକ୍ତି ଉପରେ ସାଂଘାତିକ ପ୍ରଭାବ ପକାଇବ ବୋଲି ବିଶିଷ୍ଟ ଉଦ୍ୟୋଗପତି ରାହୁଲ ବଜାଜ କହିଛନ୍ତି । କମ୍ପାନୀ ବୋର୍ଡରେ ଦୀର୍ଘ ୪୯ ବର୍ଷ କାର୍ଯ୍ୟ କରିବା ପରେ ଗତ ମଇ ମାସରେ ଓହରି ଯାଇଥିବା ୮୩ ବର୍ଷ ବୟସ୍କ ବଜାଜ ଅଂଶୀଦାରମାନଙ୍କ ନିକଟକୁ ଲେଖିଥିବା ତାଙ୍କର ଶେଷ ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ।
ଚଳିତ ବର୍ଷ ଏପ୍ରିଲ ୨୯ରେ ରାହୁଲ ଏହି ପତ୍ର ଲେଖିଥିବାବେଳେ ତାହାକୁ ଜୁନ୍‍ ୩୦ରେ ସାର୍ବଜନୀନ କରାଯାଇଛି । କମ୍ପାନୀର ବାର୍ଷିକ ରିପୋର୍ଟର ଅଂଶ ଭାବରେ ଏହା ସର୍ବସମ୍ମୁଖକୁ ଅଣାଯାଇଛି । କମ୍ପାନୀର ବାର୍ଷିକ ରିପୋର୍ଟରେ ସେ କହିଛନ୍ତି ଯେ, ମହାମାରୀର ମୁକାବିଲା କରିବାକୁ ଯାଇ ଆଉ ଅଧିକ ତାଲାବନ୍ଦ ହେବ ନାହିଁ ବୋଲି ଆମେ ଆଶା କରିବା । ତାହା ନହେଲେ ଏହା ଦେଶର ନିଯୁକ୍ତି ଓ ଆର୍ଥିକ ପରିସ୍ଥିତିକୁ ବିଧ୍ୱସ୍ତ କରିଦେବ । ଗତବର୍ଷ ମାର୍ଚ୍ଚ ୨୫ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ତାଲାବନ୍ଦକୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଥିଲା । ଏହାଦ୍ୱାରା ସ୍ଥିତି କ୍ରମଶଃ ସୁଧୁରିବା ଆରମ୍ଭ ହୋଇଥିଲା । କିନ୍ତୁ କୋଭିଡ ୧୯ର ଦ୍ୱିତୀୟ ଲହର ପରିସ୍ଥିତିକୁ ଅଧିକ ଖରାପ କରିଦେଇଛି ।
ସୂଚନାଯୋଗ୍ୟ ଯେ ରାହୁଲ ବଜାଜ ଏବଂ ବଜାଜ ଅଟୋର ପରିଚାଳନା ନିର୍ଦ୍ଦେଶକ ତଥା ତାଙ୍କ ପୁଅ ରାଜୀବ ବଜାଜ ତାଲାବନ୍ଦ କଟକଣାକୁ ନେଇ ନାରାଜ ଥିଲେ । ରାଜୀବ କହିଥିଲେ ଯେ ତାଲାବନ୍ଦ କଟକଣା ଭାରତର ଜିଡିପି ଅଭିବୃଦ୍ଧିକୁ ସ୍ଥାଣୁ କରିଦେଇଛି । ଚଳିତ ବର୍ଷ ଜୁନ୍‍ ସୁଦ୍ଧା ଶେଷ ହୋଇଥିବା ତିନିମାସରେ ଦେଶର ଆର୍ଥିକ ସ୍ଥିତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସେ ଆଶା ପ୍ରକାଶ କରି କହିଛନ୍ତି ଯେ ତ୍ୱରିତ ଟିକାକରଣ ଏବଂ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ପ୍ରୟାସ ଦ୍ୱାରା ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହୋଇପାରିବ ।

Comments are closed.