ମହାମାରୀ କାଳରେ ରାଜ୍ୟକୁ ଆସିଛି ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ

୧୦ ମାସରେ ୧,୧୯,୨୧୪ କୋଟି ନିବେଶ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର : କୋଭିଡ଼ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅଧିକ ପ୍ରସ୍ତାବ ଆସିଛି। ଫେବୃଆରୀରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧,୧୯,୨୧୪.୭୨କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ପ୍ରସ୍ତାବିତ ଶିଳ୍ପ ସଂସ୍ଥାଗୁଡ଼ିକରେ ୫୪,୧୩୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଉଇଣ୍ଡୋ ବୈଠକରୁ ଏହି ସୂଚନା ମିଳିଛି।

ବୈଠକରେ ନୂତନ ଭାବେ ୪୬୪.୭୨ କୋଟି ଟଙ୍କାର ୪ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ୮୭୩ ଜଣଙ୍କୁ ନିଯୁକ୍ତି ଦିଆଯାଇପାରିବ। ଅନୁମୋଦନ ଲାଭ କରିଥିବା ଶିଳ୍ପ ସଂସ୍ଥାଗୁଡ଼ିକ ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର ଆଦି ଜିଲାରେ ପ୍ରତିଷ୍ଠା ହେବ। ଖୋର୍ଦ୍ଧା ଜିଲାର ମଳିପଡ଼ାଠାରେ ଗାଲାକ୍ସି ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ମିଡ଼ିୟମ ଡ଼େନସିଟି ଫାଇବରବୋର୍ଡ଼ ଉତ୍ପାଦନ ପାଇଁ ୯୩କୋଟି ଟଙ୍କା ବିନିଯୋଗ ହେବ ଏବଂ ଏହାଦ୍ବାରା ୩୧୦ ଜଣଙ୍କୁ ନିଯୁକ୍ତି ମିଳିବ। ଗ୍ଲୋବସ ପକ୍ଷରୁ ୧୫୧.୭୨ କୋଟି ଟଙ୍କା ନିବେଶ ଜରିଆରେ ଏ ୧୨୦ କେଏଲପିଡ଼ି ଗ୍ରେନ ଭିତ୍ତିକ ଡିଷ୍ଟିଲେରୀ ୟୁନିଟ ପ୍ରତିଷ୍ଠା କରାଯିବ। ଏଥିରେ ଏକ୍ସଟ୍ରାନିଉଟ୍ରାଲ ଆଲକୋହଲ (ଇଏନଏ)/ଇଥାନଲ ଏବଂ ୪ ମେଗାୱାଟ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଏହା ପ୍ରତିଷ୍ଠା ହେବ। ସେହିପରି ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ସୁନ୍ଦରଗଡ଼ର ଲାଠିକଟାଠାରେ ବାର୍ଷିକ ୧.୬ ନିୟୁତ ଟନ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। ଏଥିରେ ୧୦୦କୋଟି ବିନିଯୋଗ କରାଯିବ। ଏହି ଶିଳ୍ପ ସଂସ୍ଥା ପକ୍ଷରୁ ବାର୍ଷିକ ୪ ନିୟୁତ ଟନ କ୍ଷମତା ବିଶିଷ୍ଟ ସ୍ଲରି ପାଇପଲାଇନ ପ୍ରକଳ୍ପ ପ୍ରତିଷ୍ଠା କରାଯିବ।

ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରସ୍ତାବିତ ଶିଳ୍ପ ସଂସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିବାବେଳେ ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଗ୍ରିଡ଼ରୁ ଗୁଣାତ୍ମକ ବିଦ୍ୟୁତ୍ ଶକ୍ତି ଯୋଗାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର.କେ.ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.ମୋନା ଶର୍ମା, ଜଳସମ୍ପଦ ପ୍ରମୁଖ ସଚିବ ଅନୁ ଗର୍ଗ, ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂହ, ଇପିକଲ ଏମଡ଼ି ନିତିନ ଭାନୁଦାସ ଜାୱଲେ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Comments are closed.