ଧମକ ଅନାବଶ୍ୟକ : କ୍ବାରେଣ୍ଟାଇନ୍‌ କେନ୍ଦ୍ରର ସୁବିଧା ବଢ଼ାଅ

ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସରକାର କିମ୍ବା ସମାଜର ଅନୁକମ୍ପାର ପାତ୍ର ନୁହନ୍ତି। ସେମାନେ ନିଜ ରାଜ୍ୟକୁ ଫେରି ପରିବାର ଓ ଜ୍ଞାତିଜନଙ୍କ ସହ ରହିବାକୁ ହକ୍‌ଦାର। ସେମାନଙ୍କୁ କରୋନା ଭୂତାଣୁବାହକ ଭାବେ ସନ୍ଦେହ କରି ଘୃଣା ବା ଅବହେଳା କରିବା ଅମାନବୀୟ। ମହାମାରୀ ପରିଚାଳନା ନିୟମ ଅନୁସାରେ ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ବ୍ୟବସ୍ଥାରେ ଆଉ କେତେକ ନିଜ ଉଦ୍ୟମରେ ଫେରୁଛନ୍ତି। ସେମାନଙ୍କୁ ଥଇଥାନ କରିବା ପାଇଁ ସରକାର ନିଜ ସାମର୍ଥ୍ୟ ମତେ ଉଦ୍ୟମ କରୁଛନ୍ତି। ଏହି ଶ୍ରମିକମାନଙ୍କ ପାଇଁ ଯେଉଁ ସବୁ କ୍ବାରେଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଛି ତାହାର ମୌଳିକ ସୁବିଧାସୁଯୋଗ ନେଇ ଏବେ ପ୍ରଶ୍ନ ଉଠିଛି ? ପ୍ରଚଣ୍ଡ ଖରାଦିନେ ଅନେକ କେନ୍ଦ୍ରରେ ପାଣି, ଶୌଚାଳୟ, ବିଛଣା ଓ ଭୋଜନ ଭଳି ଆବଶ୍ୟକ ମୌଳିକ ସୁବିଧା ନାହିଁ। ତେଣୁ କେତେକ ସ୍ଥାନରେ କ୍ବାରେଣ୍ଟାଇନ୍‌ କେନ୍ଦ୍ରରୁ ଶ୍ରମିକମାନେ ଘରକୁ ପଳାଇ ଯାଉଛନ୍ତି। ନିମ୍ନମାନର ଖାଦ୍ୟକୁ ବର୍ଜନ କରୁଛନ୍ତି।
ଏଭଳି ସ୍ଥିତିରେ ସେମାନଙ୍କୁ ଗିରଫ କରିବା ଓ ଦଣ୍ଡ ଦେବାର ଧମକ ସରକାରଙ୍କ ପକ୍ଷେ ଉଚିତ ନୁହେଁ। ସରକାର ସେମାନଙ୍କ ଅଭିଯୋଗ ଧୈର୍ଯ୍ୟର ସହିତ ବୁଝିବା ଦରକାର। କ୍ବାରେଣ୍ଟାଇନ୍‌ ବା ଥଇଥାନ ଶିବିରରେ ଯେଉଁସବୁ ମୌଳିକ ଅସୁବିଧା ରହିଛି ତାହାର ଅନୁଧ୍ୟାନ କରି ତୁରନ୍ତ ନିରାକରଣ କରାଯାଉ। ସେମାନଙ୍କୁ ଗିରଫ କଲେ ସମସ୍ୟା ବଢ଼ିବ ସିନା, ସମାଧାନ ହେବନାହିଁ। ଦୀର୍ଘକାଳ କକର୍ଥନା ମଧ୍ୟରେ ରହି ଭିଟାମାଟିକୁ ଫେରୁଥିବା ମଣିଷର ଆବେଗ, ମାନସିକ ଓ ସ୍ବାସ୍ଥ୍ୟଗତ ସ୍ଥିତି ବୁଝିବା ଦରକାର। ସେ କାମ ସରକାର ତୁଲାଇ ନ’ପାରିଲେ ବିଭ୍ରାଟ ତ ହେବ ହିଁ ହେବ। ବିଶେଷଜ୍ଞ କହୁଛନ୍ତି ଶ୍ରମିକମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ରହିବା ବ୍ୟବସ୍ଥା ନ’କଲେ ସେମାନେ ଅଧିକ ଦୁର୍ବଳ ହୋଇ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ସେହିଭଳି ସବୁ ପ୍ରବାସୀ ଶ୍ରମିକ ସଂକ୍ରମିତ କିମ୍ବା ଭୂତାଣୁ ବାହକ ନୁହନ୍ତି। ଯେଉଁମାନେ ସୁସ୍ଥ ସେମାନଙ୍କୁ ସ୍ବଳ୍ପକାଳ ସଂଗରୋଧରେ ରଖାଯାଉ କିମ୍ବା ନିଜନିଜର ଘରେ ଆଇସୋଲେସନରେ ରହିବାର ବ୍ୟବସ୍ଥା କରାଯାଉ। ବିଭିନ୍ନ ରାଜ୍ୟ ସରକାର ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଆହୁରି ମଧ୍ୟ ଓଡ଼ିଶାକୁ କେତେ ଶ୍ରମିକ ଫେରିବେ ତାହାର ନିର୍ଦିଷ୍ଟ ଆକଳନ ଏଯାଏ ହୋଇପାରିନାହିଁ। ଯେଉଁମାନେ ଫେରିବାକୁ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ସଂଖ୍ୟା ପ୍ରାୟ ପାଞ୍ଚଲକ୍ଷ। ମାତ୍ର ଏତେ ଶ୍ରମିକଙ୍କ କ୍ବାରେଣ୍ଟାଇନ ପାଇଁ ଏଯାଏ ରାଜ୍ୟ ସରକାର ବ୍ୟବସ୍ଥା କରିନାହାନ୍ତି ଏବଂ କରିବା ମଧ୍ୟ ସହଜ ନୁହେଁ। ସେ ଦୃଷ୍ଟିରୁ ଏ ନୀତିର ସମୀକ୍ଷା ଆବଶ୍ୟକ।
ଆମ ପ୍ରଶାସନିକ ଓ ସରକାରୀ ବ୍ୟବସ୍ଥାରେ ଯୋଜନା ଉପରୁ ତଳକୁ ଆସେ ଏବଂ ରୂପାୟନ ବ୍ୟବସ୍ଥା ତଳସ୍ତରରେ କାର୍ଯ୍ୟକାରୀ ହୁଏ। ଏହି କାମର ଦାୟିତ୍ବ ତୃଣମୂଳସ୍ତରରେ ଅଳ୍ପ କେଇଜଣଙ୍କ ଉପରେ ଲଦି ଦିଆଯାଏ। ସାଧନ ଓ ସୁବିଧା ଅଭାବରୁ ସେମାନେ ର-ଠ ଭାବେ କାମ କରି ରିପୋର୍ଟ ଦିଅନ୍ତି। ସରପଞ୍ଚମାନଙ୍କୁ ଏବେ ଜିଲା ପ୍ରଶାସନ ଏହି କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଦାୟିତ୍ବ ଦେଇଛି। ସେମାନେ ରାଜନୀତିଆ ଲୋକ ଓ ବିଭିନ୍ନ ପ୍ରକାର ଚାପର ବଶବର୍ତ୍ତୀ। ତେଣୁ ସେମାନେ ସରକାରୀ ଯୋଜନାକୁ ଠିକ୍‌ ଭାବେ ତୁଲାଇବା ଆଶା କରିବା ବୃଥା। ଏହି କାମକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ଗୋଷ୍ଠୀ ବା ସମୁଦାୟର ନେତା, ଏନ୍‌ଜିଓ, ଗାଁ ମୁଖିଆ ଏବଂ ଅନ୍ୟାନ୍ୟ ପେସାଦାର, ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହାୟତା ନିଆଯିବା ଉଚିତ। ଏହାସତ୍ତ୍ବେ ଯେଉଁ ସନ୍ଦିଗ୍ଧ ସଂକ୍ରମିତ ଆଇନ ଭାଙ୍ଗି ଗାଁକୁ ତରତରରେ ଲୁଚିଛପି ପଳାଇଯିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ଅଟକାଇ ବୁଝାସୁଝା କରିବାକୁ ଗାଁ ଲୋକଙ୍କ ସହାୟତା ନିଆଯାଉ। ଗ୍ରାମରେ ସେମାନଙ୍କ ପ୍ରବେଶକୁ କିଛିକାଳ ପାଇଁ ନିଷିଦ୍ଧ କରାଯାଉ ଏବଂ ଏଥିରେ ରାଜନୀତି ବା ପ୍ରିୟାପ୍ରୀତି ନ’ରହୁ।
ସରକାରଙ୍କ ପାଖରେ ଲୋକବଳ କମ୍‌। ସବୁ କାମ ସରକାରୀ ଅଧିକାରୀ କରିବା କଷ୍ଟ। ଏଭଳି ସ୍ଥିତିରେ ତୁଙ୍ଗ ଅଧିକାରୀମାନେ ସଂକଟର ଭୟାବହତା ଦେଖି ଘାବରେଇଯିବା ବା ଲୋକଙ୍କୁ ଧମକଚମକ ଦେବା ସ୍ବାଭାବିକ। ତେବେ ଏହା ଠିକ୍‌ ନୁହେଁ। ଯୋଜନା ବା କାର୍ଯ୍ୟକ୍ରମର ରୂପାୟନରେ ଥିବା ବାସ୍ତବ ଦୁର୍ବଳତା ଓ ତ୍ରୁଟିକୁ ପ୍ରଥମେ ଅଧିକାରୀମାନେ ଭଲଭାବେ ଅନୁଧ୍ୟାନ କରନ୍ତୁ। ଲୋକଙ୍କୁ ବୁଝାସୁଝା କରିବାର ବ୍ୟବସ୍ଥା ହେଉ। ଆବଶ୍ୟକ ପଡ଼ିଲେ ସେମାନଙ୍କ କ୍ବାରେଣ୍ଟାଇନ୍‌କାଳୀନ ରହିବା ଓ ଖାଇବା ବାବଦ ଖର୍ଚ୍ଚ ବଢ଼ାଯାଉ। ସବୁ ଲୋକ ଏ କାମରେ ସହଯୋଗ କରନ୍ତୁ। ପ୍ରବାସୀ ଫେରନ୍ତା ସାମାନ୍ୟ ଧୈର୍ଯ୍ୟ ରଖି ଜନସ୍ବାସ୍ଥ୍ୟର ସୁରକ୍ଷାରେ ସହାୟକ ହୁଅନ୍ତୁ। କରୋନା ଲଢ଼େଇରେ ମଇ ମାସ (ଚଳିତ ମାସ) ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମେ ଏ ଲଢ଼େଇରେ ଏବେ ତୃତୀୟ ପର୍ଯ୍ୟାୟରେ। ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କ ଦ୍ବାରା ସମ୍ଭାବ୍ୟ ବାହ୍ୟ ସଂକ୍ରମଣକୁ ଆମେ ଟିକିଏ ସତର୍କତାର ସହିତ ରୋକିପାରିଲେ ମହାମାରୀକୁ ହରାଇ ହେବ। ଏହା କେବଳ ସରକାରଙ୍କ ଦାୟିତ୍ବ ନୁହେଁ। ଏଥିରେ ପ୍ରତ୍ୟେକ ନାଗରିକଙ୍କର କିଛି କର୍ତ୍ତବ୍ୟ ରହିଛି। ଏଭଳି ସଂକଟଜନକ କ୍ଷଣରେ ଆମେ ଏହି ଦାୟିତ୍ବ ଭୁଲିଗଲେ ଚଳିବ ନାହିଁ। ଆଇନର ଧମକ, ସାମାଜିକ ବାସନ୍ଦ କିମ୍ବା ଘୃଣା ନୁହେଁ, ମାନବିକତାର ମହାର୍ଘ୍ୟ ବିଚାରରେ ଆମ ସମସ୍ତଙ୍କୁ ଏହି କାମ ଏହି ସଂକଟକାଳରେ କରିବାକୁ ହେବ। ସର୍ବୋପରି ସରକାର ଓ ପ୍ରଶାସନ ବୁଝିବା ଦରକାର ସେମାନେ ଏକ କଲ୍ୟାଣକାରୀ ଗଣତାନ୍ତ୍ରିକ ବ୍ୟବସ୍ଥାର ଦାୟିତ୍ବସମ୍ପନ୍ନ କର୍ତ୍ତା।

Comments are closed.