ପାକ ସୀମାରେ ଅଧିକ ବିଏସଏଫ ଯବାନ ମୁତୟନ

ଅମୃତସର: କୁହୁଡିଆ ପାଗ ଯୋଗୁ ସୀମାନ୍ତ ଅଞ୍ଚଳର ଦୂରସ୍ଥାନ ସ୍ପଷ୍ଟ ଦେଖାଯାଉନଥିବା କାରଣରୁ ପାକିସ୍ତାନକୁ ଲାଗିଥିବା ସୀମାନ୍ତରେ ଭାରତ ଅଧିକ ସଂଖ୍ୟାରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନଙ୍କୁ ମୁତୟନ କରିଛି । ପୂର୍ବରୁ ଏଠାରେ ମୁତୟନ ହୋଇଥିବା ଯବାନଙ୍କୁ ଦୂର ସ୍ଥାନ ଉପରେ ନଜର ରଖିବା କଷ୍ଟକର ହେଉଥିବାରୁ ସେଠାରେ ଅଧିକ ସଂଖ୍ୟାରେ ଯବାନ ମୁତୟନ କରାଯାଇଛି । ଏ ସମ୍ପର୍କରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି ବିଏସଏଫର ସହକାରୀ କମାଣ୍ଡାଣ୍ଟ ଅଶ୍ୱିନୀ କୁମାର ଏହା ସ୍ୱୀକାର କରିବା ସହିତ କହିଛନ୍ତି ଯେ ଭାରତୀୟ ଯବାନମାନେ ପାଦରେ ଚାଲିଚାଲି, ଘୋଡା ପିଠିରେ ବସି ଏବଂ ଗାଡିରେ ବସି ଭାରତ-ପାକ ସୀମାନ୍ତରେ ପହରା ଦେଉଛନ୍ତି । ଏଥିସହିତ ସେ କହିଛନ୍ତି ଯେ ସୀମାନ୍ତରେ ନୂଆ ତାରବାଡ ଲଗାଯିବା କାରଣରୁ ଅନୁପ୍ରବେଶ ସହିତ ସୀମାନ୍ତରେ ଘଟୁଥିବା ଅପରାଧମୂଳକ ଘଟଣାକୁ ଅନେକାଂଶରେ ରୋକାଯାଇପାରିଛି ।
ଅନ୍ୟ ଜଣେ ବିଏସଏଫ ଯବାନ କହିଛନ୍ତି ଯେ ସେମାନେ ଦେଶମାତୃକାର ସେବା ପାଇଁ ସୀମାରେ ପହରା ଦେଉଛନ୍ତି । ପ୍ରତିଦିନ ସୀମାନ୍ତରେ ପହରା ଦେବା ସମୟରେ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧ ଭରିଯାଇଥାଏ । ସେମାନଙ୍କ ମଧ୍ୟରେ ମହିଳା ଯବାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଇତିମଧ୍ୟରେ ବିଏସଏଫ ଯବାନମାନଙ୍କୁ ରାତ୍ରିକାଳୀନ ଦୃଶ୍ୟମାନ କ୍ୟାମେରା ଯୋଗାଇ ଦିଆଯାଇଛି, ଯାହା ସେମାନଙ୍କୁ ପାଟ୍ରୋଲିଂ ସମୟରେ ଦୂର ସ୍ଥାନ ଉପରେ ନଜର ରଖିବାରେ ସହାୟକ ହେଉଛି । ସେମାନେ ଚବିଶ ଘଣ୍ଟା ଉକ୍ତ କ୍ୟାମେରା ଉପରେ ନଜର ରଖିଛନ୍ତି । ଏହା ସେମାନଙ୍କୁ ଶୀତ, ବର୍ଷା ଆଦି ସମସ୍ତ ପାଗ ପରିସ୍ଥିତିରେ ସୀମାନ୍ତ ଅଞ୍ଚଳର ସ୍ପଷ୍ଟ ଦୃଶ୍ୟ ଯୋଗାଇ ଦେଉଛି ।

Comments are closed.